ମୁମ୍ବାଇ: ବର୍ତ୍ତମାନ ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅସୁସ୍ଥ ଖବର ସାମ୍ନାକୁ ଆସିଛି । ସତାରାର ପୈତୃକ ଘରେ ସିନ୍ଦେ ଅସୁସ୍ଥ ହୋଇ ପଡିଛନ୍ତି ବୋଲି ସୂଚନା ମିଳିଛି । ସେ ପ୍ରବଳ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଡାକ୍ତରୀ ଟିମ୍ ଦ୍ୱାରା ସିନ୍ଦେଙ୍କର ଚିକିତ୍ସା ଜାରି ରହିଛି । ସୂଚନା ମୁତାବକ, ଶୁକ୍ରବାର ହେବାକୁ ଥିବା ମହାୟୁତିର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ସ୍ଥଗିତ ରଖାଯାଇଥିଲା । କୁହାଯାଉଥିଲା ଯେ, କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସତାରା ଜିଲ୍ଲାରେ ପୈତୃକ ଗାଁକୁ ଗସ୍ତ କରିଥିଲେ । ତେବେ ଏହି ସ୍ଥାନରେ ସିନ୍ଦେଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଛି ।
ଡାକ୍ତରଙ୍କ ଅନୁଯାୟୀ, ଏକନାଥ ସିନ୍ଦେଙ୍କର ଜ୍ୱର, ଥଣ୍ଡା ଏବଂ ଗଳା ସଂକ୍ରମଣ ରହିଛି। ସେମାନେ ସିନ୍ଦେଙ୍କୁ ସାଲାଇନ୍ ଲଗାଇଛନ୍ତି। ସେ ଗୋଟିଏ କିମ୍ବା ଦୁଇ ଦିନରେ ଭଲ ହୋଇଯିବେ। ଗତକାଲି ଠାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା, କିନ୍ତୁ ବର୍ତ୍ତମାନ ଚିକିତ୍ସା ଆରମ୍ଭ ହୋଇଛି।