fbpx

ଏପ୍ରିଲ ୧ ରୁ ବିଜୁଳି ହେବ ମହଙ୍ଗା: ପାଣିର ମୂଲ୍ୟ ବି ବଢାଇପାରେ ଚିନ୍ତା

ଡେରାଡୁନ: ଦେଶରେ ମହଙ୍ଗା ମାଡକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି ଜନସାଧାରଣ । ଦିନକୁ ଦିନ ପ୍ରତ୍ୟେକଟି ଆବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହା ଉପରେ ପୁଣି ଆଉ ଏକ ବୋଝ ବଢିବାକୁ ଯାଉଛି । ପାଣି ଏବଂ ବିଜୁଳି ଦରରେ ମଧ୍ୟ ବୃଦ୍ଧି ହେବା ନେଇ ସମ୍ଭାବନା ଦେଖା ଦେଇଛି । ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ବର୍ଦ୍ଧିତ ମୂଲ୍ୟ ଲାଗୁ ହୋଇପାରେ ଯାହା ଦ୍ୱାରା ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେବେ ।

ସୂଚନା ଅନୁସାରେ, ଉତ୍ତରାଖଣ୍ଡରେ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ୧୨% ବୃଦ୍ଧି ହୋଇପାରେ । ଏ ନେଇ ବିଦ୍ୟୁତ ନିୟାମକ ଆୟୋଗକୁ ପ୍ରସ୍ତାବ ଦେଇଛି ଉତ୍ତରାଖଣ୍ଡ ବିଦ୍ୟୁତ ନିଗମ । ତେବେ ଚଳିତ ସପ୍ତାହରେ ହେବାକୁ ଥିବା ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ଅନୁମାନ କରାଯାଉଛି । ତେବେ ମଞ୍ଜୁରୀ ମିଳିବା ପରେ ଏପ୍ରିଲ ୧ ତାରିଖରୁ ନୂଆ ଦର ଲାଗୁ ହୋଇପାରେ । ଏହାଦ୍ୱାରା ରାଜ୍ୟର ପାଖାପାଖି ୨୭.୫୦ ଲକ୍ଷ ଲୋକ ପ୍ରଭାବିତ ହେବେ । ତେବେ ନିଗମର ପ୍ରସ୍ତାବରେ ୧୭% ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଆୟୋଗ ଏହାକୁ କମ୍ କରି ୧୨% ଧାର୍ଯ୍ୟ କରିଛନ୍ତି ।

ଅନ୍ୟ ପକ୍ଷରେ ସରକାରଙ୍କ ନିକଟରୁ ପାଣି ଦରରେ ୧୫% ବୃଦ୍ଧି ଆଣିବା ପାଇଁ ଅନୁମତି ନେଇ ସାରିଛି ଉତ୍ତରାଖଣ୍ଡ ଜଳ ସଂସ୍ଥାନ । ଏହାଦ୍ୱାରା ପାଣି ୧୫୦-୨୦୦ ଟଙ୍କା ମହଙ୍ଗା ହୋଇଯିବ ବୋଲି ଅନୁମାନ କରାଯାଉଛି । ଉତ୍ତରାଖଣ୍ଡ ଜଳ ସଂସ୍ଥାନର ମୁଖ୍ୟ ମହାପ୍ରବନ୍ଧକ ନୀଳିମା ଗର୍ଗ କହିଛନ୍ତି ଯେ, ପାଣି ବିଲ୍ ରେ ପ୍ରତିବର୍ଷ ବୃଦ୍ଧି ହୋଇଥିଲେ ମଧ୍ୟ ଉପଭୋକ୍ତାଙ୍କୁ ଏହାର ବେଶୀ ପ୍ରଭାବ ପକାଇବ ନାହିଁ ।

Get real time updates directly on you device, subscribe now.