ଗ୍ରାହକଙ୍କୁ ଝଟକା ! ବଢିବ ବିଜୁଳି ଦର, ଜାଣନ୍ତୁ ୟୁନିଟ ପିଛା କେତେ ବଢାଇବାକୁ ଦିଆଯାଇଛି ପ୍ରସ୍ତାବ ?

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ଉପଭୋକ୍ତାଙ୍କୁ ଲାଗିପାରେ ଝଟକା । ୨୦୨୫-୨୬ ଆର୍ଥିକ ବର୍ଷରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ । ଆସନ୍ତା ଆର୍ଥିକ ବର୍ଷ ଠାରୁ ଗ୍ରୀଡକୋ ପକ୍ଷରୁ ବିଜୁଳି ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି ନେଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ OERCକୁ ପ୍ରସ୍ତାବ ଦିଆଯାଇଛି ।

ବଢିବ କି ବିଜୁଳି ଦର ?

ବଢିପାରେ ବିଜୁଳି ଦର । ପ୍ରଭାବିତ ହୋଇପାରନ୍ତି କୋଟିଏ ଉପଭୋକ୍ତା । ଗ୍ରୀଡକୋର ପ୍ରସ୍ତାବକୁ ଓଇଆରସି ଗ୍ରହଣ କଲେ ୟୁନିଟ୍ ପିଛା ୫୪ ପଇସା ବଢିପାରେ ବିଜୁଳି ଦର । ସେପଟେ ଏହି ଦରବୃଦ୍ଧିକୁ ଖଣ୍ଡନ କରିଛନ୍ତି ଶକ୍ତି ମନ୍ତ୍ରୀ । ସୂଚନା ଅନୁସାରେ, ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ନିକଟରେ ଗ୍ରୀଡକୋ ବାର୍ଷିକ ରାଜସ୍ବ ଆବଶ୍ୟକତା ଦରଖାସ୍ତ ଦାଖଲ କରିଛି । ଏଥିରେ ଦର୍ଶାଇଛି ୨୦୨୫-୨୬ ଆର୍ଥିକ ବର୍ଷରେ ୩୮,୮୧୪ ନିୟୁତ ୟୁନିଟ ୪ଟି ବିତରଣକାରୀ କମ୍ପାନୀକୁ ଦେବ । ଏଥିପାଇଁ ୧୫,୩୪୭ କୋଟି ଟଙ୍କା ଆବଶ୍ୟକ । ୟୁନିଟ୍ ପିଛା ୩ଟଙ୍କା ୯୫ ପଇସା ଉପଭୋକ୍ତା ଦେଲେ ଯାଇ ଭରଣା ହୋଇପାରିବ। ଓଇଆରସି ସମସ୍ତଙ୍କୁ ଶୁଣିବା ପରେ ଶୁଣାଣି କରିବେ । ଦରବୃଦ୍ଧିକୁ ଖଣ୍ଡନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଦରବୃଦ୍ଧି ନେଇ ହୋଇନି ଆଲୋଚନା:

ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, “ଡିସେମ୍ବର 2025 ସୁଦ୍ଧା ରାଜ୍ୟରେ 3ଲକ୍ଷ ଲୋକଙ୍କ ଘରେ ଲାଗିବ ରୁପଟପ୍ ସୋଲାର । ଏବେ ସୁଦ୍ଧା ଏକ ଲକ୍ଷ ପଚାଶ ହଜାର ଆବେଦନ ଆସିଲାଣି । ବିଜେପି ନିର୍ବାଚନ ଇସ୍ତାହାରରେ ପିଏମ ସୂର୍ଯ୍ୟ ଘର ଯୋଜନା ରଖିଥିଲା । ଏହି ଯୋଜନାରେ ବିଜୁଳି ବିଲ୍ କମ୍ ଆସିବା ସହ ଲୋକଙ୍କୁ ବିଜୁଳି ଦର କମ ଦେବାକୁ ପଡିବ । ୭.୫ ଜିଗାୱଟ ସୋଲାର ଏନର୍ଜି ଉତ୍ପାଦନ ଲକ୍ଷ୍ୟ ନେଇ କାମ ଆରମ୍ଭ ହୋଇଛି । ଉତ୍କର୍ଷ ଓଡ଼ିଶା ପୂର୍ବରୁ ଏହି କନକ୍ଲେଭ ବହୁ ଗୁରୁତ୍ୱପୂର୍ଣ୍ଣ । ଏହି କନକ୍ଲେଭ ବୟାନ କରୁଛି ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା ‌। ସୋଲାର ଏବଂ ରିନ୍ବେବୁଲ ଏନର୍ଜି କ୍ଷେତ୍ରରେ ଓଡ଼ିଶାରେ ଅଧିକ ନିବେଶ ଆସୁଛି । ଉତ୍କର୍ଷ ଓଡ଼ିଶା ମାଧ୍ୟମରେ ଏମଓୟୁ ହେବ । ସୋଲାର ଏନର୍ଜି, ୱିଣ୍ଡ ଏନର୍ଜି ଦ୍ବାରା ଲୋକ ଲାଭବାନ ହୋଇପାରିବେ ଏବଂ ନିଯୁକ୍ତି ସୃଷ୍ଟି ହୋଇପାରିବ, ସେ ଦିଗରେ ସରକାର ଚିନ୍ତା କରୁଛନ୍ତି । ବିଜୁଳି ଦର ବୃଦ୍ଧି ନେଇ ଆଲୋଚନା ହୋଇନାହିଁ ।”