ଛତିଶଗଡ଼ରେ ହଣାଖାଇ ଓଡ଼ିଶାରେ ଟଳିପଡ଼ିଲା ଦନ୍ତା, ହାତୀକୁ ବଞ୍ଚାଇପାରିଲେନି ବନବିଭାଗ
ହାତୀର ବେକ ପଛପଟେ ଚୋଟ ଲାଗିଥିଲା। ହାତୀଟି ଛତିଶଗଡରୁ ଚୋଟ ଖାଇ ଆସିଥିବା କୁହାଗଲା। ଚିକିତ୍ସା ଅଭାବରୁ ଚାହୁଁ ଚାହୁଁ ଆଖି ଆଗରେ ଚାଲିଗଲା ଜୀବନ।
ସୁନ୍ଦରଗଡ଼: ହାଣିଦେଲେ ଦନ୍ତାକୁ। ଅତି ନିର୍ମମ ଭାବରେ ନେଇଗଲେ ଗଜରାଜର ଜୀବନ। ଦୀର୍ଘ ସମୟ ଯନ୍ତ୍ରଣାରେ ଛଟପଟ ହେବା ପରେ ଶେଷରେ ଆଖି ବୁଜିଲା ହାତୀ। ଠିକ୍ ସମୟରେ ଚିକିତ୍ସା ନ ହେବାରୁ ଚାଲିଗଲା ଦନ୍ତାର ଜୀବନ।
ତେବେ ଘଟଣାଟି ଘଟିଛି ଆମ ଓଡ଼ିଶାରେ। ଅବଶ୍ୟ ହାତୀଟି ଛତିଶଗଡ଼ରୁ ଆହତ ଅବସ୍ଥାରେ ଆସିଥିଲା। କିନ୍ତୁ ସୁନ୍ଦରଗଡର ଉଜ୍ଜଳପୁର ଫରେଷ୍ଟ ରେଞ୍ଜ’ର କରୁଆବାହାଲ ଗାଁରେ ଆହତ ହାତୀଟି ଟଳିପଡ଼ିଲା। ଅସହ୍ୟ ଯନ୍ତ୍ରଣାକୁ ସହି ନପାରି ପ୍ରାଣ ହାରିଦେଲା।
କିପରି ହେଲା ଆହତ: ତେବେ ସୂଚନାନୂସାରେ, ହାତୀର ବେକ ପଛପଟେ ଚୋଟ ଲାଗିଥିଲା। ହାତୀଟି ଛତିଶଗଡରୁ ଚୋଟ ଖାଇ ଆସିଥିବା କୁହାଗଲା। ବେଶ କିଛି ସମୟ ଧରି ସଳଖି ଛିଡା ହେବାକୁ ଚେଷ୍ଟା କଲା, କିନ୍ତୁ କ୍ଷତର ଯନ୍ତ୍ରଣା ସହି ନପାରିବାରୁ ତଳେ ପଡ଼ିଗଲା।
ଚିକିତ୍ସା ଅଭାବରୁ ଚାହୁଁ ଚାହୁଁ ଆଖି ଆଗରେ ଚାଲିଗଲା ଜୀବନ। ସୁନ୍ଦରଗଡର ଉଜ୍ଜଳପୁର ଫରେଷ୍ଟ ରେଞ୍ଜ’ର କରୁଆବାହାଲ ଗାଁରେ ଆହତ ହାତୀର ମୃତ୍ୟୁ ପରେ ଡିଏଫଓ କହିଛନ୍ତି, ଛତିଶଗଡରୁ ଆହତ ଅବସ୍ଥାରେ ଆସିଥିବା ହାତୀର ଚିକିତ୍ସା ପାଇଁ ସମୟ ମିଳିଲାନି। ଦୀର୍ଘ ଦିନରୁ ଅସୁସ୍ଥ ଥିବାରୁ ଦନ୍ତାକୁ ବଞ୍ଚାଇ ପାରିଲୁନି।
ଅନେକ ଘଟୁଛି ହାତୀ ମୃତ୍ୟୁ: କେବଳ ସୁନ୍ଦରଗଡରେ ନୁହେଁ, ଅନେକ ସମୟରେ ରାଜ୍ୟରେ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି। କେତେବେଳେ ବିଦ୍ୟୁତ ଆଘାତରେ ଦନ୍ତାର ଜୀବନ ଚାଲିଯାଉଛି ତ ଆଉ କେତେବେଳେ ଅସ୍ୱାଭାବିକ ଭାବରେ ଗଜରାଜଙ୍କ ପ୍ରାଣହାନି ଘଟୁଛି।
କିନ୍ତୁ ହାତୀଙ୍କ ମୃତ୍ୟୁ କେମିତି, କାହିଁକି ଓ କେଉଁ ପରିସ୍ଥିତିରେ ହୁଏ ତାହାର ଉତ୍ତର ଅନେକ ସମୟରେ ଖୋଜିପାଏନି ବନବିଭାଗ। ଏସବୁ ଭିତରେ ଗଜରାଜଙ୍କ ପାଇଁ ଓଡ଼ିଶା ଜଙ୍ଗଲ ଅସୁରକ୍ଷିତ ହୋଇପଡିଛି।