fbpx
BJD SKY
BJD SKY

ଟୁଇଟରରୁ ସିଇଓଙ୍କ ପରେ ଅନେକ କର୍ମଚାରୀଙ୍କୁ ବିଦା କରିବାର ଚାଲିଛି ପ୍ରସ୍ତୁତି, ରିପୋର୍ଟରୁ ଖୁଲାସା

BJD

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାମାଜିକ ଗଣମାଧ୍ୟମ ଟୁଇଟରର ନୂତନ ମୁଖ୍ୟ ଏଲନ ମସ୍କ କମ୍ପାନିରେ କର୍ମଚାରୀଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ଆମେରିକା ଖବର କାଗଜ ଦ ନ୍ୟୁୟର୍କ ଟାଇମ୍ସର ରିପୋର୍ଟରେ ଏମିତି ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, ଛଟେଇ ହେବାକୁ ଥିବା କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କିଛି ମ୍ୟାନେଜରଙ୍କୁ କୁହାଯାଇଛି। ଏହା ମଧ୍ୟ ଦାବି କରାଯାଇଛି ଯେ, ମସ୍କ ହେଡକାଉଣ୍ଟରେ ହ୍ରାସ କରି କର୍ମଚାରୀଙ୍କ ସଂଖ୍ୟା କେବଳ ୭୫ ପ୍ରତିଶତରେ ସୀମିତ ରଖି ପାରନ୍ତି।
ସ୍ପେସ୍ ଏକ୍ସ ଏବଂ ଟେସଲା ପରି କମ୍ପାନିର ମାଲିକ ଏଲନ ମସ୍କ ନିକଟରେ ଟୁଇଟରକୁ ୪୪ ବିଲିୟନ ଆମେରିକୀୟ ଡଲାରରେ କିଣିଛନ୍ତି। ଅଧିଗ୍ରହଣ ପରେ ପରେ ମସ୍କ ବଡ ବଡ ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ଏହି କ୍ରମରେ ସେ କମ୍ପାନିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ପରାଗ ଅଗ୍ରଓ୍ଵାଲ, ଆଇନ କାର୍ଯ୍ୟକାରୀ ଅଧିକାରୀ ବିଜୟା ଗଡ୍ଡେ, ମୁଖ୍ୟ ଆର୍ଥିକ ଅଧିକାରୀ ନେଡ୍ ସେଗଲ ଏବଂ ଜେନେରାଲ ଆକାଉଣ୍ଟ ସିନ୍ ଆଜେଟଙ୍କୁ ପଦରୁ ହଟାଇ ସାରିଛନ୍ତି।

ରିପୋର୍ଟ ମୁତାବକ ଟୁଇଟରରୁ ଛଟେଇ ପ୍ରକ୍ରିୟା ନଭେମ୍ବର ୧ ପୂର୍ବରୁ କରାଯାଇପାର। ଏହି ତାରିଖ ପରେ ଯଦି କର୍ମଚାରୀଙ୍କୁ ବାହାର କରାଯାଏ ତେବେ ସେମାନଙ୍କୁ କ୍ଷତିପୂରଣ ଭାବେ ଷ୍ଟକ ଗ୍ରାଣ୍ଡ୍ସ ଦେବାକୁ ପଡିପାରେ। ଏହି ପରି ଚାକିରିରୁ ବିଦା ହେଉଥିବା କର୍ମଚାରୀଙ୍କୁ ଦରମାଠୁ ବଡ ମୋଟା ଅଙ୍କର ଟଙ୍କା ମିଳିଥାଏ। ତେଣୁ ମସ୍କ ନଭେମ୍ବର ୧ ପୂର୍ବରୁ କର୍ମଚାରୀଙ୍କ ଛଟେଇ ପ୍ରକ୍ରିୟା ପୁରା କରି ପାରନ୍ତି।

ଏହା ପୂର୍ବରୁ ମସ୍କ କହି ସାରିଥିଲେ ଯେ, ସାମାଜିକ ଗଣମାଧ୍ୟମ କମ୍ପାନି ଉପରେ ନଜର ରଖିବା ଏବଂ କର୍ମଚାରୀଙ୍କ ଛଟେଇ ପ୍ରକ୍ରିୟା ପାଇଁ ଏକ କମିଟି ଗଠନ କରିବେ। କମିଟିର ମଞ୍ଜୁରୀ ପରେ ହିଁ କଣ୍ଟେଟ ସମ୍ବନ୍ଧିତ କିମ୍ବା ଆକାଉଣ୍ଟ ଚାଲୁ କରିବା ବିଷୟରେ କୌଣସି ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ଟୁଇଟରରେ ୭୫୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି।

Get real time updates directly on you device, subscribe now.