fbpx

ଓଡ଼ିଶା ଦାୟିତ୍ୱ ସମ୍ଭାଳିବେ ପ୍ରିୟଙ୍କା! କଂଗ୍ରେସରେ ପରିବର୍ତ୍ତନ ସପକ୍ଷରେ ଖଡ଼ଗେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଲୋକସଭା ନିର୍ବାଚନ ସହିତ ଏକାଧିକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏନେଇ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନ ସଜାଡ଼ିବାରେ ବ୍ୟସ୍ତ । ତେବେ ଗତ କିଛି ବର୍ଷ ହେଲା ଦେଶର ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ପଡ଼ି ରହିଛି । ତେଣୁ ଦଳରେ କିଛି ବଡ଼ଧରଣର ପରିବର୍ତ୍ତନ କରିବା ନେଇ ପ୍ରୟାସ କରୁଛନ୍ତି ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ।

ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ ମୁତାବକ, ଓଡ଼ିଶା ଦାୟିତ୍ୱ ସମ୍ଭାଳି ପାରନ୍ତି ଦଳର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ପୂର୍ବରୁ ଓଡ଼ିଶା, ବିହାର ଓ ଆନ୍ଧ୍ରପ୍ରଦେଶ କଂଗ୍ରେସର ଗଡ଼ ଥିଲା । ମାତ୍ର ଆଜି ସମୟକ୍ରମେ ଏହି ସମସ୍ତ ରାଜ୍ୟମାନଙ୍କରେ କଂଗ୍ରେସ ନିଜର ଅମାନତ ହରାଇଛି । ତେଣୁ ପ୍ରିୟଙ୍କାକୁ ଏହି ତିନି ରାଜ୍ୟର ଦାୟିତ୍ୱ ଦେବା ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କିଛି ବରିଷ୍ଠ ନେତା ମତ ଦେଇଛନ୍ତି ।

ତେବେ ନବନିଯୁକ୍ତି ଅଧ୍ୟକ୍ଷ ସଭାପତି ଖଡ଼ଗେଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ଛିଡ଼ା ହୋଇଛି । ଗାନ୍ଧି ପରିବାରର ଅତ୍ୟନ୍ତ ବିଶ୍ୱସ୍ତ ଭାବେ ଜଣାଶୁଣା ଖଡ଼ଗେଙ୍କଠାରୁ ଦଳ ବହୁତ କିଛି ଆଶା କରୁଛି । ଓଡ଼ିଶାରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କଂଗ୍ରେସ କ୍ଷମତାଠାରୁ ବାହାରେ ରହିବା ସହ ମାଟି କାମୁଡ଼ି ପଡ଼ିଛି । ତେଣୁ ପ୍ରିୟଙ୍କାଙ୍କ ପରି ଜଣେ ଶୀର୍ଷ ନେତ୍ରୀ ଯଦି ରାଜ୍ୟର ଦାୟିତ୍ୱ ସମ୍ଭାଳନ୍ତି ତେବେ ଏହା ଦଳ ପାଇଁ ନିଶ୍ଚିତ ଭାବେ ଆଶ୍ୱସ୍ତିକର ଖବର ହେବ । ପ୍ରିୟଙ୍କାଙ୍କ ଗୋଟି ଚାଳନାରେ ରାଜ୍ୟରେ ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସ ପୁଣି ଥରେ ଜାଗ୍ରତ ହୋଇପାରେ ।

Get real time updates directly on you device, subscribe now.