fbpx

ପ୍ରଖ୍ୟାତ ଗୀତିକାର ପଣ୍ଡିତ ରଘୁନାଥ ରାଉତଙ୍କ ପରଲୋକ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ଦୁଃଖ ଖବର । ରାଜ୍ୟର ବରିଷ୍ଠ ଗୀତିକାର ତଥା ଭଜନ ଶିରୋମଣି ପଣ୍ଡିତ ରଘୁନାଥ ରାଉତ ଆଉ ନାହାନ୍ତି । ୬୯ ବର୍ଷ ବୟସରେ ରଘୁନାଥଙ୍କ ପରି ଜଣେ ପ୍ରଖ୍ୟାତ ଗୀତିକାର ସବୁଦିନ ପାଇଁ ନିରବୀ ଯାଇଛନ୍ତି । ତାଙ୍କ ମୃତ୍ୟୁରେ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏଭଳି ଜଣେ ଯୋଗ୍ୟ ସନ୍ତାନଙ୍କ ବିୟୋଗରେ ତାଙ୍କର ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ମୁତାବକ, ଗତ ଗୁରୁବାର ଦିନ ଅପରାହ୍ଣରେ ରଘୁନାଥ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରେ ସେ ଜନ୍ମଲାଭ କରିଥିଲେ । ସେ ଦୀର୍ଘଦିନ ଧରି ଭୁବନେଶ୍ୱରରେ ରହି ଆସୁଥିଲେ । ସେ ‘ଆହେ ଚକାଆଖି ଶୁଖିଲାଣି କଣ୍ଠ ଡାକି ଡାକି’, ‘ରଥ ଯାଏ ଗଡ଼ି ଗଡ଼ି’, ‘ସଖୀଲୋ ଥରେ ପଚାରି ବୁଝ’, ‘କାଳିଆ ତୁ ମୋର କଳା ଗୋବିନ୍ଦ’ ଆଜି ଅନେକ ମନଛୁଆଁ ଭଜନର ସ୍ରଷ୍ଟା ଥିଲେ । କଳା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଭିକାରୀ ବଳ ସମ୍ମାନ-୨୦୨୩ ପ୍ରଦାନ କରାଯାଇଥିଲା ।

ଗୀତ ରଚନା ବ୍ୟତୀତ ରଘୁନାଥଙ୍କର ଗଳ୍ପ, ଉପନ୍ୟାସ, ନାଟକ, ଗୀତିନାଟ୍ୟ, ଗୀତି ସଙ୍ଗୀତ ଆଦି କ୍ଷେତ୍ରରେ ଯଥେଷ୍ଟ ଦକ୍ଷତା ଥିଲା । ମହିଳା ଓ ଶିଶୁଙ୍କ ପାଇଁ ସେ ଅନେକ ଶିର୍ଷଣୀୟ ଲେଖା ଲେଖି ପାଠକୀୟ ସ୍ୱୀକୃତି ଲାଭ କରିଥିଲେ । ଶ୍ରୀଜଗନ୍ନାଥଙ୍କ କୃପାରୁ ସେ ଶ୍ରୀକ୍ଷେତ୍ର କବି ଓ ଭଜନ ଶିରୋମଣି ଭାବେ ପରିଚିତ ଥିଲେ । ତାଙ୍କ ରଚିତ ଅନେକ ଭଜନ ଓଡ଼ିଶା ଏବଂ ଓଡ଼ିଶା ବାହାରର ପ୍ରସିଦ୍ଧ କଣ୍ଠଶିଳ୍ପୀମାନେ ଗାଇ ଶ୍ରୋତାଙ୍କ ଆଦୃତି ଲାଭ କରିପାରିଥିଲେ । ଏଥିସହିତ ତାଙ୍କର ଅନେକ କୃତୀ ଆକାଶବାଣୀ ଓ ଦୂରଦର୍ଶନରେ ସଙ୍ଗୀତ ପରିବେଷିତ ହୋଇଥିଲା ।

Get real time updates directly on you device, subscribe now.