fbpx

ବିଶିଷ୍ଟ କବି ସୁନୀଲ କୁମାର ପୃଷ୍ଟିଙ୍କ ହୃଦଘାତରେ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରସ୍ୱତ ଜଗତରୁ ଆସିଛି ଏକ ଦୁଃଖଦ ଖବର । ବିଶିଷ୍ଟ କବି ସୁନୀଲ କୁମାର ପୃଷ୍ଟି ଆଉ ନାହାନ୍ତି । ୬୨ ବର୍ଷ ବୟସରେ ହୃଦଘାତରେ ସୁନୀଲଙ୍କର ପରଲୋକ ଘଟିଛି । ଗତ ବୁଧବାର ଦିନ ସକାଳେ ସୁନୀଲ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ଓ ଏକମାତ୍ର ପୁତ୍ର ଉପସ୍ଥିତ ରହିଥିଲେ ।

୧୯୬୩ ମସିହାରେ ବରଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ସୁନୀଲ ରାୟଗଡ଼ାରେ ଶିକ୍ଷା ସମାପ୍ତ କରିବା ପରେ କିଛିଦିନ ପାଇଁ ଅଧ୍ୟାପନାରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ପୂର୍ଣ୍ଣ ଭାବରେ ସାହିତ୍ୟ ଓ ସମ୍ପାଦନରେ ମନୋନିବେଶ କରିଥିଲେ । ‘ଚିହ୍ନା ଚିହ୍ନା ନିର୍ଜନତା’, ‘ଦେହଦେଉଳ’, ‘ପୁଅ ପାଇଁ ପ୍ରାର୍ଥନା’, ‘ତନୁଲତାର କବିତା’ ଓ ‘ଅସଫଳ କବିତା’ ଆଦି ସାରସ୍ୱତ କୃତୀ ସୁନୀଲଙ୍କୁ ବେଶ୍ ପ୍ରସିଦ୍ଧି ଦେଇଥିଲା । ସେ ପ୍ରଥମେ ‘ନବରବି’ ସାହିତ୍ୟ ପତ୍ରିକାର ସମ୍ପାଦନା ଦାୟିତ୍ୱ ତୁଲାଇଥିଲେ । ପରବର୍ତ୍ତୀ ସମୟରେ ଦୈନିକ ‘ଅନୁପମ ଭାରତ’, ‘ସଚିତ୍ର ବିଜୟା’, ‘ଜହ୍ନ ମାମୁଁ’ ଆଦି ପତ୍ରିକା ପାଇଁ କାର୍ଯ୍ୟ କରିଥିଲେ । ଶେଷ ସମୟରେ ସେ ମାସିକ ପତ୍ରିକା ‘ଶିଶିର’ ସହ ଯୋଡ଼ି ହୋଇଥିଲେ । ସାହିତ୍ୟ କୃତୀ ପାଇଁ ସେ ଅନେକ ପୁରସ୍କାର ପାଇବା ସହିତ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ବସନ୍ତ ମୁଦୁଲି କବିତା ପୁରସ୍କାର, ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ଝଙ୍କାର ବିଷୁବ ପୁରସ୍କାର ପାଇଥିଲେ ।

Get real time updates directly on you device, subscribe now.