fbpx

ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ ବରାବର: ଶେଷ ମ୍ୟାଚକୁ ୭ ୱିକେଟରେ ଜିତିଲା ଘରୋଇ ଦଳ

ବର୍ମିଂହାମ: ଭାରତ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଛି ଇଂଲଣ୍ଡ । ପୂର୍ବତନ ଅଧିନାୟକ ଏବଂ ଜନି ବେୟାରଷ୍ଟୋଙ୍କ ଦମଦାର ଶତକ ବଳରେ ଇଂଲଣ୍ଡ ଏହି ମ୍ୟାଚକୁ ଭାରତ ହାତରୁ ଛଡାଇ ନେଇଛି । ଫଳରେ ୫ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜ ୨-୨ରେ ବରାବର ରହିଛି । ୩୭୮ ରନର ଏକ ବିଶାଳ ଲକ୍ଷ୍ୟକୁ ମାତ୍ର ୩ ୱିକେଟ ବିନିମୟରେ ହାସଲ କରି ନେଇଛି ଘରୋଇ ଦଳ ଇଂଲଣ୍ଡ ।

୧୫ ବର୍ଷ ପରେ ଇଂଲଣ୍ଡରେ ଭାରତର ଟେଷ୍ଟ ସିରିଜ ଜିତିବାର ସ୍ୱପ୍ନ ପୁଣି ଥରେ ଧୂଳିସାତ ହୋଇଛି । ଦ୍ୱିତୀୟ ଇନିଂସରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି ଟିମ ଇଣ୍ଡିଆର ବୋଲର । ସେପଟେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ ଏବଂ ଷ୍ଟାର ପ୍ଲେୟର ଜନି ବେୟାରଷ୍ଟୋ ବ୍ୟାଟରୁ କମାଲ ଦେଖାଇବାରେ ସଫଳ ହୋଇଛନ୍ତି । ଫଳରେ ୩୭୮ ରନର ଏକ ବିଶାଳ ଲକ୍ଷ୍ୟକୁ ଜିତି ସିରିଜକୁ ବରାବର କରିଛି ଇଂଲଣ୍ଡ । ଏଥିସହ ଏକ ଇତିହାସ ମଧ୍ୟ ନିଜ ନାମରେ କରିଛି ଇଂଲିଶ କ୍ରିକେଟ । ଦ୍ୱିତୀୟ ଇନିଂସରେ ଏତେ ବଡ ରନ ଚେଜ କରି ବିଜୟ ହାସଲ କରିବାରେ ଏହା ସର୍ବୋଚ୍ଚ ରହିଛି । ୧୪୫ ବର୍ଷ ମଧ୍ୟରେ ପଞ୍ଚମ ଥର ପାଇଁ ୩୦୦ କିମ୍ବା ତାଠାରୁ ଅଧିକ ରନର ପିଛା କରି ବିଜୟ ହାସଲ କରିଛି ଇଂଲଣ୍ଡ ।

ଦଳ ପକ୍ଷରୁ ପୂର୍ବତନ ଅଧିନାୟକ ଜୋ ରୁଟ ସର୍ବାଦିକ ୧୪୨ ରନର ପାଳି ଖେଳିଛନ୍ତି । ୮୨ ଷ୍ଟ୍ରାଇକ ରେଟରେ ୧୯ ଚୌକା ଏବଂ ଗୋଟିଏ ଛକା ସହ ଦ୍ୱିତୀୟ ଇନିଂସର ସବ୍ରଶ୍ରେଷ୍ଠ ପାଳି ଖେଳିଛନ୍ତି ରୁଟ । ତେବେ ଅନ୍ୟ ପକ୍ଷରେ ଜନି ବେୟାରଷ୍ଟୋ ମଧ୍ୟ ଦମଦାର ପାଳି ଖେଳିଛନ୍ତି । ୭୮.୬୨ ଷ୍ଟ୍ରାଇକ ରେଟରେ ୧୫ ଚୌକା ଏବଂ ଗୋଟିଏ ଛକା ମାରି ୧୧୪ ରନ କରିଛନ୍ତି ଜନି । ଉଭୟଙ୍କର ଏହି ଇନିଂସ ଇଂଲଣ୍ଡକୁ ଏହି ଐତିହାସିକ ବିଜୟ ଭେଟି ଦେଇଛି । ତେବେ ଏହି ଦୁହିଁଙ୍କ ବ୍ୟତୀତ ଓପନର ଆଲେକ୍ସ ଲିସ ୫୬ ଏବଂ ଜ୍ୟାକ କ୍ରାଲି ୪୬ ରନ ସଂକ୍ରହ କରିଥିଲେ ।

ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଶେଷ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ମାତ୍ର ୩ଟି ୱିକେଟ ହାସଲ କରିବାରେ ସଫଳ ହୋଇଛି ଇଣ୍ଡିଆନ ବୋଲିଂ ଆଟାକ । ଯାହା ଫଳରେ ବିଜୟକୁ ହାତଛଡା କରିବା ସହ ସିରିଜକୁ ମଧ୍ୟ ହାତଛଡା କରିଛି । ଦଳ ପକ୍ଷରୁ ଅଧିନାୟକ ଜସପ୍ରୀତ ବୁମରାହ କେବଳ ୨ଟି ୱିକେଟ ହାସଲ କରିଥିବା ବେଳେ ଆଲେକ୍ସ ଲିସ ରନ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ବୁମରାହଙ୍କ ବ୍ୟତୀତ କୌଣସି ବୋଲର ଇଂଲଣ୍ଡ ଖେଳାଳି ଆଉଟ କରିବାରେ ସଫଳ ହୋଇ ପାରି ନାହାନ୍ତି ।

Get real time updates directly on you device, subscribe now.