fbpx

ବେକାରୀ ସମସ୍ୟାକୁ ଗୃହରେ ମୁଲତବୀ ପ୍ରସ୍ତାବ, ବିରୋଧୀ କଲେ ସମାଲୋଚନା, ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବଢ଼ୁଥିବା ବେକାରୀ ସମସ୍ୟାକୁ ନେଇ ଆଜି  ଗୃହରେ କଂଗ୍ରେସ ତରଫରୁ ଆଗତ ହୋଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବରୋଧୀ କଂଗ୍ରେସ ଏବଂ ବିଜେପି ।

ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରାବାହିନୀ ପତି କହିଥିଲେ ଯେ ବେକାରୀ ସମସ୍ୟା ଯୋଗୁଁ ଯୁବକ-ଯୁବତୀ ମାନେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । ମୋଟ ସରକାରୀ ପଦବୀର ୨୨.୫ ପ୍ରତିଶତ ପଦବୀ ଖାଲି ପଡ଼ିଛି । ୨୦୧୪ ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ କହିଥିଲା ପ୍ରତି ପଞ୍ଚାୟତରେ ୧୫୦ ଜଣଙ୍କୁ ଚାକିରୀ ଦେଵ।ବର୍ଷକୁ ଦୁଇ ଲକ୍ଷ ନିଯୁକ୍ତି ଦେବାକୁ କହିଥିଲା ବେଳେ କୁଆଡେ ଗଲା ଚାକିରୀ ବୋଲି ପ୍ରଶ୍ନ କରିଛନ୍ତି ତାରା। ଶିକ୍ଷକ ନିଯୁକ୍ତି ହେଉନାହିଁ । ନିଯୁକ୍ତି କ୍ଷେତ୍ରରେ ଯୁବବର୍ଗଙ୍କୁ ନିରୁତ୍ସାହ କରିଛନ୍ତି ସରକାର ଗାଁ ଗାଁ ରେ ମଦ ଦୋକାନ ଖୋଲାଯାଉଛି ।

ଏହି ପ୍ରସଙ୍ଗରେ ମନ୍ତ୍ରୀ ମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖି କହିଛନ୍ତି ଯେ ଓଡ଼ିଶାରେ ଯୁବ କ ଯୁବତୀ ମାନଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ତାଲିମ କାର୍ଯ୍ୟକ୍ରମ ଚାଲୁ ରହିଛି । ୨୦୧୧-୧୨ ରୁ ୨୦୨୧-୨୨ ପର୍ୟ୍ୟନ୍ତ ୧ ଲକ୍ଷ ୫୬୪ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ୨୭୬୧୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ୮୨ ଟି ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ୨୦୦୮-୦୯ ରୁ ୨୧,୨୨ ବର୍ଷ ଭିତରେ ୩୦ ଟି ଜିଲ୍ଲାରେ ୨୯୬ ଟି ନିଯୁକ୍ତି ମେଳା ଆୟୋଜନ କରାଯାଇଛି ।

ମନ୍ତ୍ରୀ କହିଛନ୍ତି ଯେ ମୋଟ ୫ ଲକ୍ଷ ୬୦ ହଜାର ୪୫ ଯୁବବର୍ଗ ଅଂଶ ଗ୍ରହଣ କରିଥିଲେ । ଲକ୍ଷେ ୪୮,୬୪୫ ଜଣଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି । ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୪୦ ଜଣ ଯୁବକଯୁବତୀ ତାଲିମ ନେଉଛନ୍ତି । ଗତ ୩ ବର୍ଷ ଭିତରେ ୫ ଲକ୍ଷ ୬ ହଜାର ୯୬୫ ଜଣ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇ ଆତ୍ମନିଯୁକ୍ତିକ୍ଷମ କରାଯାଇଥିବା ଗୃହରେ ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସରକାରଙ୍କ ସହାୟତା ରେ ସମ୍ବଲପୁର, କଟକ, ରାଉରକେଲା, ଢେଙ୍କାନାଳ, ବ୍ରହ୍ମପୁର, କେଉଁଝର, କୋରାପୁଟ ରେ ମଡେଲ କ୍ୟାରିଅର ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଏଥିରେ ନିଯୁକ୍ତି ଓ ତାଲିମ ଦିଆଯାଉଛି ।

ସେପଟେ ମନ୍ତ୍ରୀଙ୍କ ଉତ୍ତରରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ମୁଖ୍ୟ ସଚେତକ କହିଥିଲେ ଯେ ମନ୍ତ୍ର ବାହାରେ ବାହାସ୍ପଟ ମାରୁଛନ୍ତି । କିନ୍ତୁ ପ୍ରକୃତରେ ବେକାରୀ ସମସ୍ୟାକୁ ସରକାର ପ୍ରାଥମିକତା ଦେଇନାହାନ୍ତି । ସରକାର କେବଳ ନିର୍ବାଚନ ପାଇଁ ଏଭଳି ଯୋଜନା କରୁଛନ୍ତି । ୧୯୯୯ ରୁ ୨୦୦୮ ମଧ୍ୟରେ ୪୫,୫୧୩ ମୂଳ ପଦବୀ ଉଛେଦ ହୋଇଛି । ଅର୍ଥମନ୍ତ୍ରୀ ଦେଇଥିବା ଉତ୍ତର ଆଧାରରେ ୨ ଲକ୍ଷ ୨୬ ,୫୧୩ ପଦବୀ ଖାଲି ପଡ଼ିଛି । ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି । ବେକାରୀ ସମସ୍ୟା ରହିବାରେ ସରକାରଙ୍କ ଭୂମିକା ରହିଛି । ଅମଲାତନ୍ତ୍ର,ଅହଂକାର, ଦୁର୍ନୀତି ରେ ସରକାର ଡୁବି ରହିଛନ୍ତି । ବେକାରୀ କୁ ଭସ୍ମାସୁର ଭାବେ ତିଆରି କରୁଛନ୍ତି । ଯେଉଁଦିନ ଭସ୍ମଅସୁର ଛୁଇଁବ ସେଦିନ ସରକାର ଭସ୍ମ ହୋଇଯିବେ। ୨୨ ବର୍ଷ ଭିତରେ ଅପାରଗତା ଓ ସ୍ଥାଣୁତା ପାଇଁ ବେକାରୀ ବଢିଛି।

Get real time updates directly on you device, subscribe now.