ହାର୍ଦ୍ଦିକଙ୍କୁ ହୋଇଥିଲା କି ପ୍ରେମ ଜ୍ୱର? କହୁ କହୁ କହିଦେଲେ ଇଶା ଗୁପ୍ତା
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ସମ୍ପର୍କକୁ ନେଇ ଇଶା ଗୁପ୍ତାଙ୍କ ବଡ଼ ଖୁଲାସା
ମୁମ୍ବାଇ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତାଙ୍କ ସମ୍ପର୍କକୁ ନେଇ ଏକ ପୁରୁଣା ଭିଡିଓ ପୁଣିଥରେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହି ଭିଡିଓରେ ଇଶା ଗୁପ୍ତା ହାର୍ଦ୍ଦିକଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି, ଯାହା ଚର୍ଚ୍ଚାର ବିଷୟ ହୋଇଛି।
ଭାରତର ଜଣାଶୁଣା ରେଡ଼ିଓ ହୋଷ୍ଟ ସିଦ୍ଧାର୍ଥ କନନଙ୍କ ସହ ଏକ ସାକ୍ଷାତକାରରେ ଇଶା ଗୁପ୍ତା କହିଛନ୍ତି, “ମୋର ମନେ ହୁଏ ନାହିଁ ଯେ ଏହା ଡେଟିଂ ଥିଲା। କିନ୍ତୁ ହଁ, ଆମେ ପ୍ରାୟ ୨ ମାସ ଧରି କଥାବାର୍ତ୍ତା କରୁଥିଲୁ। ଆମେ ଏକ ଏଭଳି ପର୍ଯ୍ୟାୟରେ ଥିଲୁ, ଯେଉଁଠାରେ ସମ୍ପର୍କ ଆରମ୍ଭ ହୋଇପାରିଥାନ୍ତା କିମ୍ବା ନ ହୋଇପାରିଥାନ୍ତା। କିନ୍ତୁ ଡେଟିଂ ପର୍ଯ୍ୟାୟରେ ପହଞ୍ଚିବା ପୂର୍ବରୁ ଏହା ଶେଷ ହୋଇଗଲା।”
ଇଶା ଆହୁରି ମଧ୍ୟ କହିଛନ୍ତି, “ଆମ ମଧ୍ୟରେ ଡେଟିଂ ପରି କିଛି ନଥିଲା। ଆମେ ବୋଧହୁଏ ଏକ କିମ୍ବା ଦୁଇଥର ମିଶିଥିଲୁ। ଆମର ସମ୍ପର୍କ କେବଳ ସେତିକିରେ ସୀମିତ ଥିଲା। ୨ ମାସ କଥାବାର୍ତ୍ତା ପରେ ସବୁ ଶେଷ ହୋଇଗଲା।” ସେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ହାର୍ଦ୍ଦିକଙ୍କ ସହ ସମ୍ପର୍କର ସମ୍ଭାବନା ଥିଲା, କିନ୍ତୁ ସମୟ ଓ ତାଳମେଳର ଅଭାବ ଯୋଗୁଁ ତାହା ଆଗେଇ ପାରିନଥିଲା।
ଇଶା ଗୁପ୍ତା ଆହୁରି କହିଛନ୍ତି ଯେ ତାଙ୍କର ଓ ହାର୍ଦ୍ଦିକଙ୍କ ଜୀବନଶୈଳୀ ମଧ୍ୟରେ ଅନେକ ଅସମାନତା ଥିଲା। ଇଶା ସ୍ପଟଲାଇଟରୁ ଦୂରରେ ରହିବାକୁ ପସନ୍ଦ କରନ୍ତି, କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜୀବନଶୈଳୀ ଏପରି ଯେ ସେ ପ୍ରାୟ ପ୍ରତିଦିନ ଲୋକଙ୍କ ମଧ୍ୟରେ ଥାଆନ୍ତି।