ପିନ୍ଧାଲୁଗା ଫୋପାଡ଼ି ଡାକ୍ତରଖାନାରେ ତାଣ୍ଡବ କଲେ, କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ
ଡାକ୍ତରଖାନାରେ ପଶି ଡାକ୍ତର ଏବଂ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କଲେ କିନ୍ନର
ଉତ୍ତରପ୍ରଦେଶ: ଡାକ୍ତରଖାନାକୁ ସମସ୍ତେ ସୁରକ୍ଷିତ ଭାବେ ଚିକିତ୍ସା ପାଇଁ ଯାଇଥାନ୍ତି, ଥରେ ଭାବିଲେ ଯଦି ଡାକ୍ତରଖାନାରେ କିଏ ବାହାର ଲୋକ ପଶି ମାରିଦେବା ପାଇଁ ଗଣ୍ଡଗୋଳ କରେ ତେବେ ସେଠାରେ ସମସ୍ତଙ୍କ ଅବସ୍ଥା କଣ ହେବ? ସେହିପରି ଏକ ସାଙ୍ଘାତିକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଜୌନପୁରର ଅମର ସହିଦ ଉମାନାଥ ସିଂହ ଜିଲ୍ଲା ହସ୍ପିଟାଲରେ।
ପୁରା ଘଟଣା କଣ? ଶୁକ୍ରବାର ଦିନ ରାତି 9ଟା ସମୟରେ ପ୍ରାୟ 12ରୁ ଅଧିକ କିନ୍ନର ଜିଲ୍ଲା ହସ୍ପିଟାଲରେ ପହଞ୍ଚି ହଠାତ ଗଣ୍ଡଗୋଳ ଆରମ୍ଭ କରିଦେଲେ। ତା ପରେ ହସ୍ପିଟାଲର ସାଇରନ୍ ବାଜିବାକୁ ଲାଗିଲା। କିନ୍ନରମାନେ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍ଙ୍କୁ ନିଷ୍ଠୁର ଭାବରେ ପିଟିଲେ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି ଯେ, କିନ୍ନରମାନେ ଡାକ୍ତର ଏବଂ ନର୍ସଙ୍କୁ ଗୋଡେଇ ଗୋଡେଇ ମାରୁଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଘଟଣାଟି ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଜରୁରୀକାଳୀନ ୱାର୍ଡରେ ଘଟିଥିଲା। କିନ୍ନରମାନେ ଟେବୁଲ ଉପରେ ଚଢି ଡ୍ୟୁଟିରେ ଥିବା ନର୍ସିଂ ଅଫିସରଙ୍କୁ ମାଡ଼ ମାରୁଥିଲେ। ଯାହାଙ୍କ ନାଁ ଥିଲା ଡାକ୍ତର ଆଶିଷ ସିଂହ।
ଜୀବନ ବଞ୍ଚାଇବା ପାଇଁ ସେ ଯେତେବେଳେ ଟେବୁଲ ଉପରେ ଚଢ଼ିଗଲେ କିନ୍ନରମାନେ ଟେବୁଲ ଉପରେ ରଖାଯାଇଥିବା ପାଣି ବୋତଲ ସାହାଯ୍ୟରେ ଏବଂ ଗୋଡ଼ରେ ତାଙ୍କୁ ନିଷ୍ଠୁର ଭାବରେ ମାଡ଼ ମାରିଲେ। ତା ପରେ ଡାକ୍ତର ଆଶିଷ କୌଣସି ପ୍ରକାରେ ଜରୁରୀକାଳୀନ ୱାର୍ଡରୁ ବାହାରକୁ ଆସି ଦୌଡ଼ିବାକୁ ଲାଗିଲେ, କିନ୍ତୁ ସେଠାରେ ମଧ୍ୟ ଉପସ୍ଥିତ ଥିବା ଅନ୍ୟ କିନ୍ନରମାନେ ତାଙ୍କୁ ଧରି ମାଡ ମାରିଥିଲେ। ଯାହାଫଳରେ ତାଙ୍କୁ ବହୁତ ଜୋରେ ଆଘାତ ଲାଗିଛି।
ପୀଡିତ ନର୍ସିଂ ଅଫିସର ଡାକ୍ତର ଆଶିଷ ସିଂହ କହିଛନ୍ତି ଯେ, ତାଙ୍କର ଡ୍ୟୁଟି ରାତି ୮ଟାରୁ ସକାଳ ୮ଟା ପର୍ଯ୍ୟନ୍ତ। ଶୁକ୍ରବାର ସନ୍ଧ୍ୟାରେ ସେ ହସ୍ପିଟାଲରେ ପହଞ୍ଚିବା ମାତ୍ରେ ଜଣେ ରୋଗୀ ଜରୁରୀକାଳୀନ ବିଭାଗକୁ ଆସିଥିଲେ, ଯାହାଙ୍କର ଚିକିତ୍ସା ଚାଲିଥିଲା। ସେହି ସମୟରେ, କିଛି ଲୋକ ଜଣେ ମହିଳାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଆଣିଥିଲେ। ସେହି ଲୋକମାନେ ଜରୁରୀକାଳୀନ ୱାର୍ଡରେ ପ୍ରବେଶ କଲେ।
ଯେତେବେଳେ ସେମାନଙ୍କୁ ସେଠାରୁ ଚାଲିଯିବାକୁ ଅନୁରୋଧ କରାଯାଇଥିଲା, ସେତେବେଳେ ସେମାନେ ନକଲି ଡାକ୍ତରୀ ପରୀକ୍ଷା କରିବାକୁ ଚାପ ପକାଇବା ଆରମ୍ଭ କରିଥିଲେ, କିନ୍ତୁ ସେମାନଙ୍କୁ ଫେରାଇ ଦିଆଯାଇଥିଲା। ଏହି କଥାକୁ ନେଇ ସେମାନେ ରାଗିଗଲେ। ତା’ପରେ କିଛି ସମୟ ପରେ, ପ୍ରାୟ 12 ରୁ ଅଧିକ ଅର୍ଦ୍ଧ ନଗ୍ନ କିନ୍ନର ଆସି ତାଙ୍କ ବେକ ଚିପି ମାରିବାକୁ ଚେଷ୍ଟା କଲେ।
ଜିଲ୍ଲା ହସ୍ପିଟାଲରେ ପ୍ରବେଶ କରି ହଙ୍ଗାମା କରିବା ଏବଂ ଡାକ୍ତର ଓ କର୍ମଚାରୀଙ୍କୁ ନିଷ୍ଠୁର ଭାବରେ ମାଡ଼ ମାରିବା ଘଟଣାରେ ପୀଡିତ, ଜିଲ୍ଲା ହସ୍ପିଟାଲର ଇଏମଓ ଡାକ୍ତର ପବନ କୁମାର, ନଗର କୋତୱାଲି ଥାନାରେ ଅଭିଯୋଗ ଦାଖଲ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବର୍ତ୍ତମାନ, ପୋଲିସ ହସ୍ପିଟାଲର ସିସିଟିଭି ଫୁଟେଜକୁ ନିଜ ଅଧୀନକୁ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।