fbpx

ଏହି ମନ୍ଦିରରେ ସବୁ କିଛି ମାଗଣା : ବିବାହ ଠାରୁ ଆରମ୍ଭ କରି ଭୋଜି ପର୍ଯ୍ୟନ୍ତ

Advertisement

ବିହାର : ବିବାହ ଏମିତି ଏକ ସମ୍ପର୍କ ଯାହା ୨ଟି ମଣିଷକୁ ଏକ ବନ୍ଧନରେ ବାନ୍ଧି ରଖିଥାଏ । ବିବାହରେ ଅନେକ ଖର୍ଚ୍ଚ ହୋଇଥାଏ ତାହା ଆପଣ ଜାଣିଥିବେ । କିନ୍ତୁ ଏହା ଜାଣିଛନ୍ତି କି ମାଗଣାରେ ମଧ୍ୟ ବିବାହ ହୁଏ ?, ହଁ ମାଗଣାରେ ମଧ୍ୟ ବିବାହ ହୁଏ । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଖବର ବିହାରରୁ ସାମ୍ନାକୁ ଆସିଛି । ଏଠାରେ ବିନା ଦେୟରେ ବିବାହ ସହିତ ବରଯାତ୍ରୀ ଓ କନ୍ୟାଯାତ୍ରୀ ଉଭୟଙ୍କୁ  ଖାଇବାକୁ ମଧ୍ୟ ମିଳିଥାଏ । ବିବାହ ଓ ଖାଇବାକୁ ନେଇ ଏହି ମନ୍ଦିରରେ କୌଣସି ଟଙ୍କା ଦେବାକୁ ପଡେ ନାହିଁ ।

ସୂଚନା ଅନୁସାରେ, ବିହାରର ଛପରା ଜିଲ୍ଲାରେ ସ୍ଥିତ ମା ଭଗବତୀ ମନ୍ଦିରର ସ୍ୱତନ୍ତ୍ର ପରମ୍ପରା, ଅନ୍ୟ ଧାର୍ମିକ ପୀଠ ଠାରୁ ଅଲଗା ଅଟେ । ପରସା ପ୍ରଖଣ୍ଡ ସ୍ଥିତ ଏହି ମନ୍ଦିରରେ ବିବାହ ପାଇଁ କୌଣସି ଟଙ୍କା ଲାଗେ ନାହିଁ । ଏହା ହିଁ ନୁହଁ ସେଠାରେ ବରଯାତ୍ରୀ ଏବଂ କନ୍ୟାଯାତ୍ରୀଙ୍କ ପାଇଁ ଭୋଜନ ପାଇଁ ମଧ୍ୟ ମନ୍ଦିର ବ୍ୟବସ୍ଥା କରିଥାଏ । ଏହା ସେଠାକାର ଏକ ପରମ୍ପରା ଅଟେ, ଯାହା କି ୨୦୧୬ରୁ ଚାଲି ଆସୁଅଛି । କୁହାଯାଉଛି ଯେ ଏଠାରେ ଏବେ ପର୍ଯ୍ୟନ୍ତ ୧୨୦୦ଟି ବିବାହ କରାଯାଇଛି । ଏଠାରେ ନିଜ ପୁଅ-ଝିଅର ବିବାହ କରିବା ପାଇଁ ଦୂର ଦୂରନ୍ତରୁ ଲୋକେ ଆସିଥାନ୍ତି । ମନ୍ଦିରର ସ୍ଥାପନା ପଚଲଖର ସମାଜସେବୀ ଅରୁଣ ସିଂହଙ୍କ ସ୍ତ୍ରୀ ଲାଲତୀ ଦେବୀ କରିଥିଲେ । ଜିଲ୍ଲାର ମୁଖ୍ୟାଳୟ ଠାରୁ ପ୍ରାୟ ୨୯ କି.ମି ଦୂରରେ ଥିବା ପଚଲଖରେ ମେ ୨୪ ୨୦୦୯କୁ ଏହି ମନ୍ଦିର ସ୍ଥାପନା କରାଯାଇଥିଲା ।

ମା ଭଗବତୀ ମନ୍ଦିରରେ ବିନା ଶୁଳ୍କରେ ବିବାହ ସହିତ ବରଯାତ୍ରୀ-କନ୍ୟାଯାତ୍ରୀଙ୍କ ଭୋଜନ କରିବାର ପରମ୍ପରା ପ୍ରାୟ ୭ ବର୍ଷ ହେବ ଆରମ୍ଭ ହୋଇଛି । ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକମାନେ ନିଜ ପିଲାଙ୍କ ବିବାହ କାର୍ଯ୍ୟକୁ ନେଇ ବହୁତ ଚିନ୍ତାରେ ରହୁଥିବା, ମନ୍ଦିର ନିର୍ମାତା ଲାଲତ ଦେବୀ ଦୀର୍ଘ ଦିନ ହେବ ଦେଖୁଥିଲେ । ବିବାହର ଖର୍ଚ୍ଚ ଠାରୁ ଆରମ୍ଭ କରି ଅନେକ ଲୋକଙ୍କ ପାଇଁ ଖାଇବାର ବନ୍ଦୋବସ୍ତ କରିବାରେ ଅନେକ ପରିବାର ଧାର କରଜରେ ଫସି ଯାଉଥିବାର ତାଙ୍କ ନଜରକୁ ଆସିଥିଲା । ଏଭଳି ପରିସ୍ଥିତି ଦେଖି ସେ ୨୦୧୬ରେ ଏହି ପରମ୍ପରା ଆରମ୍ଭ କରିଥିଲେ ।

Get real time updates directly on you device, subscribe now.