ପୂର୍ବତନ ବିଜେପି ବିଧାୟକ AAPରେ ଯୋଗଦେଲେ

ନୂଆଦିଲ୍ଲୀ: ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମରେ ଚଳିତ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ପ୍ରମୁଖ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିବା ସହିତ ନିଜ ସଂଗଠନରେ ନୂଆ ନେତାଙ୍କୁ ସାମିଲ କରୁଛନ୍ତି । ଏପରି ସ୍ଥିତିରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ତେବେ ଏହା ମଧ୍ୟରେ ପଞ୍ଜାବ ରାଜନୀତିରୁ ଆସିଛି ଏକ ବଡ଼ ଖବର । ବିଜେପିର ଜଣେ ପୂର୍ବତନ ବିଧାୟକ ଆମ ଆଦମୀ ପାର୍ଟି (ଆପ)ରେ ସାମିଲ ହୋଇଛନ୍ତି । ଅବୋହର ଆସନରୁ ବିଜେପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଅରୁଣ ନାରଙ୍ଗ ଆପରେ ଯୋଗଦେଇଛନ୍ତି । ସୁନିଲ ଜାଖର ରାଜ୍ୟ ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ଅରୁଣ ଅସନ୍ତୁଷ୍ଟ ରହିଥିଲେ । ଏପରିକି ସୁନିଲଙ୍କ ବିପକ୍ଷରେ ସେ ନିର୍ବାଚନ ଲଢ଼ିବେ ବୋଲି ଅରୁଣ ମିଡ଼ିଆକୁ କହିଥିଲେ ।

ଅନ୍ୟପକ୍ଷରେ ଅରୁଣ ଆପରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କୁ ସ୍ୱାଗତ କରିଛନ୍ତି । ଗତବର୍ଷ ବିଜେପିର କୃଷି ଆଇନ ବିରୋଧରେ ମଲୋଟଠାରେ କୃଷକ ଆନ୍ଦୋଳନ ହୋଇଥିଳା । ସେହି ଆନ୍ଦୋଳନରେ ଉତ୍ତ୍ୟକ୍ତ କୃଷକମାନେ ଅରୁଣଙ୍କର କପଡ଼ା ଚିରିଦେଇଥିଲେ । ବହୁକଷ୍ଟରେ ପୋଲିସ ତାଙ୍କୁ ବଞ୍ଚାଇବା ସହ ଅର୍ଦ୍ଧନଗ୍ନ ଅବସ୍ଥାରେ ଏକ ଦୋକାନ ଭିତରେ ତାଙ୍କୁ ବନ୍ଦ କରିଦେଇଥିଲା । ନିକଟରେ ଅରୁଣ ଓ ସୁନିଲଙ୍କ ମଧ୍ୟରେ ଏକ ଘଣ୍ଟା ଧରି ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବୈଠକ ପରେ ମଧ୍ୟ ଦୁହିଙ୍କ ମନୋମାଳିନ୍ୟରେ ସୁଧାର ଆସିଥିବା ନେଇ କୌଣସି ସଙ୍କେତ ଦେଖିବାକୁ ମିଳିନଥିଲା ।