ଆଉ ନାହାନ୍ତି ଶତାୟୁ ଜନନେତା: ରାଜ୍ୟ ବିଧାନସଭାର ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଦୁଃଖ ଖବର । ରାଜ୍ୟ ବିଧାନସଭାର ଜଣେ ପୂର୍ବତନ ସଦସ୍ୟଙ୍କର ବିୟୋଗ ଘଟିଛି । ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ ଆଉ ନାହାନ୍ତି । ୧୦୧ ବର୍ଷ ବୟସରେ ଶ୍ରୀ ପ୍ରଧାନଙ୍କ ପରଲୋକ ଘଟିଛି । ଝାରସୁଗୁଡ଼ା ଜିଲ୍ଲାର ବାଘମୁଣ୍ଡା ସ୍ଥିତ ବାସଭବନରେ ଶ୍ରୀ ପ୍ରଧାନ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୨୪ ମସିହା ଜାନୁଆରୀ ୧୪ ତାରିଖରେ ଜନ୍ମଗ୍ରହଣ କରିଥିବା ମକରଧ୍ୱଜ ୧୯୫୨ରେ ରାଜ୍ୟର ପ୍ରଥମ ସାଧାରଣ ନିର୍ବାଚନରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ମୁରା-ଅମ୍ବାଭନା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସୋସିଆଲିଷ୍ଟ ପାର୍ଟିରୁ ପ୍ରାର୍ଥୀ ହୋଇ ସେ ୩ ହଜାର ୫୦ ଖଣ୍ଡ ଭୋଟ ପାଇଥିଲେ । ଗତ ବର୍ଷ ଜାନୁଆରୀରେ ସେ ଶହେ ବର୍ଷ ବୟସରେ ପଦାର୍ପଣ କରିଥିଲେ । ତାଙ୍କର ପରିବାରରେ ୫ ପୁଅ ଓ ୬ ଝିଅ ରହିଛନ୍ତି । ଏଭଳି ଜଣେ ଶତାୟୁ ଜନନେତାଙ୍କୁ ହରାଇ ତାଙ୍କର ନିର୍ବାଚନ ମଣ୍ଡଳୀର ଅଗଣିତ ଜନତା, ବନ୍ଧୁ ପରିଜନଙ୍କ ମଧ୍ୟରେ ଗଭୀର ଶୋକର ଲହରୀ ଖେଳିଯାଇଛି ।