fbpx
BJD SKY
BJD SKY

Exam Tips: ପରୀକ୍ଷା ଚାପ କାରଣରୁ ଚିଡ଼ଚିଡ଼ା ହେଉଛିି କି ଆପଣଙ୍କ ପିଲା, ଆପଣାନ୍ତୁ ଏହି ଟିପ୍ସ…

BJD

ଓଡ଼ିଶା ଭାସ୍କର: ପରୀକ୍ଷା ଋତୁ ଆସିଲେ ପିଲାମାନଙ୍କ ସହ ଅଭିଭାବକ ଓ ଶିକ୍ଷକଙ୍କ ଚିନ୍ତା ବଢ଼ିଯାଏ । ପ୍ରତ୍ୟେକ ଅଭିଭାବକ ଚାହାନ୍ତି ଯେ ସେମାନଙ୍କ ପିଲା କିପରି ଭଲ ନମ୍ବରରେ ପାସ୍ ହେଉ । ତେଣୁ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ଅଭିଭାବକମାନେ ପରୀକ୍ଷା ସମୟରେ ବିଭିନ୍ନ ନିୟମ କରିଥାନ୍ତି । କିନ୍ତୁ ବେଳେ ବେଳେ ଏହି ନିୟମ ଭିତରେ ପିଲାମାନେ ଅଣନିଶ୍ୱାସୀ ହୋଇପଡ଼ନ୍ତି । ସେମାନଙ୍କ ମଧ୍ୟରେ ଚିଡ଼ଚିଡ଼ା ସ୍ୱଭାବ ଦେଖାଦେଇଥାଏ । ଏପରି ମାନସିକ ସ୍ଥିତିରେ ପିଲାମାନେ ପରୀକ୍ଷା ପାଇଁ ଭଲରେ ପଢ଼ିପାରନ୍ତି ନାହିଁ । ଅଭିଭାବକମାନଙ୍କୁ ଏଥିପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକ ରହିଛି । ତେବେ ପିଲାମାନଙ୍କୁ ପରୀକ୍ଷା ସମୟରେ ଚାପମୁକ୍ତ ରଖିବା ପାଇଁ ଅଭିଭାବକମାନେ ଏହି ଟିପ୍ସ ଆପଣାଇପାରିବେ ।

୧. ନଜରବନ୍ଦ କରନ୍ତୁ ନାହିଁ: ପ୍ରତ୍ୟେକ ଛୋଟ ଛୋଟ କଥାରେ ପିଲାମାନଙ୍କୁ ଆକଟ କରନ୍ତୁ ନାହିଁ । ଏହା ସେମାନଙ୍କୁ ବେଶି ଚିଡ଼ଚିଡ଼ା କରିଥାଏ । ସବୁବେଳେ ନିଜ ଇଚ୍ଛା ସେମାନଙ୍କ ଉପରେ ଲଦି ଦିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ପିଲାମାନେ ଆହୁରି ଘାବରେଇ ଯିବେ ଏବଂ ଡିପ୍ରେସନର ଶିକାର ହେବେ । ଏହା ସେମାନଙ୍କ ପରୀକ୍ଷା ଉପରେ ପ୍ରଭାବ ପକାଇଥାଏ ।

୨. ତୁଳନା କରନ୍ତୁ ନାହିଁ : ପ୍ରତ୍ୟେକ ବ୍ୟକ୍ତି ଭିନ୍ନ । ତେଣୁ ସବୁବେଳେ ଅନ୍ୟମାନଙ୍କ ସହ ନିଜ ପିଲାର ତୁଳନା କରନ୍ତୁ ନାହିଁ । ଏହା ସେମାନଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ କରିଥାଏ । ନିଜ ପିଲାର ଖୁଣ ବାହାର କରିବା ଅପେକ୍ଷା ତାକୁ ସୁଧାରିବାରେ ସହଯୋଗ କରନ୍ତୁ । ସେମାନଙ୍କ ସହ ଗୁଣାତ୍ମକ ସମୟ ବିତାନ୍ତୁ ଏବଂ ଲୁକାୟିତ ପ୍ରତିଭାକୁ ପ୍ରୋତ୍ସାହିତ କରନ୍ତୁ । ଏହା ସେମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ।

୩. ବ୍ରେକ୍ ଦିଅନ୍ତୁ: ପରୀକ୍ଷା ସମୟରେ ପାଠ ପଢ଼ିବା ଯେତିକି ଜରୁରୀ ବ୍ରେକ୍ ନେବା ମଧ୍ୟ ସେତିକି ଜରୁରୀ । ଖେଳକୁଦ କରିବା, ଟିଭିରେ ମନପସନ୍ଦ କାର୍ଯ୍ୟକ୍ରମ ଦେଖିବା, ଗୀତ ଶୁଣିବା, ସାଙ୍ଗସାଥିଙ୍କ ସହ କଥାବାର୍ତ୍ତା ଇତ୍ୟାଦି ପାଇଁ ନିର୍ଦ୍ଧାରିତ ସମୟ ଧାର୍ଯ୍ୟ କରନ୍ତୁ । ଏହା ଦ୍ୱାରା ମସ୍ତିଷ୍କ ଅଧିକ ସକ୍ରିୟ ହୋଇଥାଏ ଏବଂ ପାଠ ଭଲ ମନେ ରୁହେ ।

୪. ବିଶ୍ୱାସ କରନ୍ତୁ: ଅଧିକାଂଶ ସମୟରେ ଅଭିଭାବକମାନେ ପଢ଼ିବା ପାଇଁ ପିଲାମାନଙ୍କ ଉପରେ ଚାପ ପକାଇଥାନ୍ତି । ସେମାନେ କ’ଣ, କେମିତି, କାହିଁକି ପଢ଼ୁଛନ୍ତି ଇତ୍ୟାଦି ଅଯଥା ପ୍ରଶ୍ନ ପଚାରିଥାନ୍ତି । ଏପରି କରନ୍ତୁ ନାହିଁ । ପିଲାମାନଙ୍କ ଉପରେ ବିଶ୍ୱାସ କରନ୍ତୁ । ସେମାନେ ନିଜ ସୁବିଧାନୁଯାୟୀ ପଢ଼ିବା ପାଇଁ ବିଭିନ୍ନ ରଣନୀତି କରିଥାନ୍ତି । ଆପଣଙ୍କ ଏଭଳି ଆଚରଣ ଦ୍ୱାରା ସେମାନେ ଅସହଜ ଅନୁଭବ କରିଥାନ୍ତି । ଅନେକ ସମୟରେ ପିଲାମାନେ ନିଜ ସମସ୍ୟା ଜଣାଇବା ପାଇଁ ମଧ୍ୟ ପଛଘୁଞ୍ଚା ଦେଇଥାନ୍ତି । ତେଣୁ ଅଭିଭାବକମାନେ ପିଲାମାନଙ୍କୁ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ଚେଷ୍ଟା କରନ୍ତୁ ।

୫. ଘରର ପରିବେଶ: ଘରର ପରିବେଶ ମଧ୍ୟ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଘରେ ଝଗଡ଼ା କରିବା, ଅବ୍ୟବସ୍ଥିତ ଜିନିଷ, ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଘରର ମାହୋଲ ଠିକ୍ ରହିଲେ ପରୀକ୍ଷା ପାଇଁ ପଢ଼ିବାରେ କୌଣସି ଅସୁବିଧା ହୋଇନଥାଏ । ଏଭଳି ମାହୋଲ ପିଲାମାନଙ୍କୁ ଦାୟିତ୍ୱବାନ କରିଥାଏ ।

 

Get real time updates directly on you device, subscribe now.