ନୂଆଦିଲ୍ଲୀ: ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ICMR) ର ଏକ ସାମ୍ପ୍ରତିକ ରିପୋର୍ଟରେ ଖୁଲାସା ହୋଇଛି ଯେ ଭାରତୀୟମାନେ ଦୈନନ୍ଦିନ ଜରୁରୀ ଆବଶ୍ୟକତାଠାରୁ ଅଧିକ ଲୁଣ ଖାଉଛନ୍ତି, ଯାହା ଏକ ‘ସାଇଲେଣ୍ଟ ମହାମାରୀ’ର ରୂପ ନେଇଛି। ଏହି ଅଭ୍ୟାସ ଉଚ୍ଚ ରକ୍ତଚାପ, ହୃଦରୋଗ, ଷ୍ଟ୍ରୋକ ଭଳି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ବିପଦକୁ ବଢ଼ାଇଛି। ICMR ଅଧୀନରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଏପିଡେମିଓଲୋଜି (NIE) ର ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ ପାଇଁ ସମୁଦାୟ-ଆଧାରିତ ଅଧ୍ୟୟନ ଆରମ୍ଭ କରିଛନ୍ତି ଏବଂ କମ ସୋଡିୟମ ବିଶିଷ୍ଟ ଲୁଣର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦେଉଛନ୍ତି।
ଅଧ୍ୟୟନରେ କ’ଣ ମିଳିଲା?
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁସାରେ, ଜଣେ ବ୍ୟକ୍ତିଙ୍କୁ ଦୈନିକ ୫ ଗ୍ରାମରୁ କମ ଲୁଣ (ପ୍ରାୟ ୨୦୦୦ ମିଲିଗ୍ରାମ ସୋଡିୟମ) ଖାଇବା ଉଚିତ। କିନ୍ତୁ ICMR ରିପୋର୍ଟ ଅନୁଯାୟୀ, ଭାରତର ସହରାଞ୍ଚଳରେ ଲୋକେ ଦୈନିକ ହାରାହାରି ୯.୨ ଗ୍ରାମ ଏବଂ ଗ୍ରାମାଞ୍ଚଳରେ ୫.୬ ଗ୍ରାମ ଲୁଣ ଖାଉଛନ୍ତି, ଯାହା WHO ର ସୁପାରିଶ ମାନଦଣ୍ଡଠାରୁ ଅଧିକ। ଏହି ଅତ୍ୟଧିକ ଲୁଣ ସେବନ ହୃଦୟ ସମ୍ପର୍କୀୟ ରୋଗ, ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ, ମୂତ୍ରାଶୟ ରୋଗ ଏବଂ ଏପରିକି ଅଷ୍ଟିଓପୋରୋସିସ ଓ ଗ୍ୟାଷ୍ଟ୍ରିକ କ୍ୟାନ୍ସର ଭଳି ରୋଗର ବିପଦକୁ ବଢ଼ାଇଥାଏ। ଅଧ୍ୟୟନରେ ଦେଖାଗଲା ଯେ ପୁରୁଷମାନେ (୮.୯ ଗ୍ରାମ/ଦିନ) ମହିଳାଙ୍କ (୭.୧ ଗ୍ରାମ/ଦିନ) ତୁଳନାରେ ଅଧିକ ଲୁଣ ଖାଉଛନ୍ତି। ଏହା ସହିତ, ମୋଟାପଣ ଗ୍ରସ୍ତ ବ୍ୟକ୍ତି (୯.୨ ଗ୍ରାମ/ଦିନ), ତମାଖୁ ସେବନକାରୀ (୮.୩ ଗ୍ରାମ/ଦିନ) ଓ ନିୟମିତ ନୌକରୀ କରୁଥିବା ବ୍ୟକ୍ତି (୮.୬ ଗ୍ରାମ/ଦିନ) ମଧ୍ୟ ଅଧିକ ଲୁଣ ସେବନ କରୁଛନ୍ତି।
ଲୁଣରୁ କାହିଁକି ବିପଦ?
ଲୁଣରେ ଥାଏ ସୋଡିୟମ, ଯାହା ଅଧିକ ମାତ୍ରାରେ ଶରୀରରେ ପ୍ରବେଶ କଲେ ରକ୍ତଚାପ ବଢ଼ାଇଥାଏ। ଏହା ହୃଦୟ ଓ ମୂତ୍ରାଶୟ ଉପରେ ଅତିରିକ୍ତ ଚାପ ସୃଷ୍ଟି କରି ହୃଦୟ ସମ୍ପର୍କୀୟ ରୋଗ, ଷ୍ଟ୍ରୋକ ଓ ମୂତ୍ରାଶୟରେ ପଥର ସମସ୍ୟା ଆଦି ସୃଷ୍ଟି କରିପାରେ। ଏହା ସହିତ, ଅତ୍ୟଧିକ ଲୁଣ ଶରୀରରେ କ୍ୟାଲସିୟମର ଅଭାବ ସୃଷ୍ଟି କରି ହାଡ଼ ସମ୍ପର୍କୀୟ ରୋଗ ଆଣିପାରେ। ପ୍ୟାକେଟବନ୍ଦ ଖାଦ୍ୟ, ଚିପ୍ସ, ପାପଡ଼, ଅଚାର, ଫାଷ୍ଟଫୁଡ ଭଳି ପିଜା, ବର୍ଗର ଓ ଫ୍ରେଞ୍ଚ ଫ୍ରାଇ ଆଦିରେ ‘ଲୁକ୍କାୟିତ ଲୁଣ’ ରହିଥାଏ, ଯାହା ଅଜାଣତରେ ଶରୀରରେ ସୋଡିୟମର ମାତ୍ରା ବଢ଼ାଇଥାଏ।
ICMR ର ପଦକ୍ଷେପ
ଏହି ସମସ୍ୟାର ସମାଧାନ ପାଇଁ ICMR-NIE ପଞ୍ଜାବ ଓ ତେଲଙ୍ଗାନାରେ ଏକ ତିନି ବର୍ଷିଆ ସମୁଦାୟ-ଆଧାରିତ ଅଭିଯାନ ଆରମ୍ଭ କରିଛି। ଏହି ପ୍ରୋଜେକ୍ଟର ଲକ୍ଷ୍ୟ ହେଉଛି ଲୋକଙ୍କୁ ଲୁଣ କମ ଖାଇବା ସମ୍ପର୍କରେ ସଚେତନ କରାଇବା ଏବଂ ସେମାନଙ୍କ ରକ୍ତଚାପ ଓ ଲୁଣ ସେବନର ମାତ୍ରା ଉପରେ ନଜର ରଖିବା। ଏହା ସହିତ, NIE ଏକ ସୋସିଆଲ ମିଡିଆ ଅଭିଯାନ ‘ବଦଳାଅ ପାଇଁ ଏକ ଚୁଟକି’ (#PinchForAChange) ଆରମ୍ଭ କରିଛି, ଯାହା ଲୋକଙ୍କୁ ଦୈନନ୍ଦିନ ଖାଦ୍ୟରେ ଲୁକ୍କାୟିତ ଲୁଣ ସମ୍ପର୍କରେ ସଚେତନ କରାଇବା ସହ କମ ସୋଡିୟମ ବିଶିଷ୍ଟ ଲୁଣର ବ୍ୟବହାରକୁ ପ୍ରୋତ୍ସାହନ ଦେଉଛି। ଏହି ଲୁଣରେ ସୋଡିୟମ କ୍ଲୋରାଇଡକୁ ପୋଟାସିୟମ କିମ୍ବା ମ୍ୟାଗ୍ନେସିୟମ ଲବଣ ସହ ପ୍ରତିସ୍ଥାପନ କରାଯାଇଥାଏ, ଯାହା ସୋଡିୟମର ମାତ୍ରା କମାଇଥାଏ। NIE ର ବରିଷ୍ଠ ବୈଜ୍ଞାନିକ ଡ଼କ୍ଟର ଶରଣ ମୁରଲୀ କହିଛନ୍ତି, “ଏହା କେବଳ ଲୁଣ କମାଇବା ନୁହେଁ, ବରଂ ଆମ ଖାଦ୍ୟ, ଶରୀର ଓ ହୃଦୟରେ ସନ୍ତୁଳନ ବଜାୟ ରଖିବାର ବିଷୟ।”
ସମାଧାନ ପାଇଁ ପରାମର୍ଶ
ଲୁଣ କମ କରନ୍ତୁ: ଦୈନିକ ୫ ଗ୍ରାମରୁ କମ ଲୁଣ ଖାଆନ୍ତୁ। ଖାଦ୍ୟରେ ଅତିରିକ୍ତ ଲୁଣ ନ ମିଶାଇବା ଓ ଚାଟ ମସଲା, ଅଚାର ଓ ପ୍ୟାକେଟବନ୍ଦ ଖାଦ୍ୟରୁ ଦୂରେଇ ରୁହନ୍ତୁ।
କମ ସୋଡିୟମ ଲୁଣ: ସୋଡିୟମର ମାତ୍ରା କମ ଥାଉଥିବା ଲୁଣ ବ୍ୟବହାର କରନ୍ତୁ, ଯେଉଁଥିରେ ପୋଟାସିୟମ ଓ ମ୍ୟାଗ୍ନେସିୟମ ମିଶ୍ରଣ ରହିଥାଏ। ତେବେ, ଡାଇବେଟିସ କିମ୍ବା ମୂତ୍ରାଶୟ ରୋଗୀଙ୍କୁ ଏହା ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।
ପ୍ରୋସେସ୍ଡ ଫୁଡ୍ ଏଡ଼ାନ୍ତୁ: ଚିପ୍ସ, ପାପଡ଼, ଫ୍ରେଞ୍ଚ ଫ୍ରାଇ, ପିଜା ଓ ବର୍ଗର ଭଳି ଖାଦ୍ୟରେ ଲୁକ୍କାୟିତ ସୋଡିୟମ ରହିଥାଏ। ଏହାକୁ କମ କରି ଘରୋଇ ଖାଦ୍ୟ, ଷ୍ଟିମ କିମ୍ବା ଗ୍ରିଲ ପଦ୍ଧତିରେ ରନ୍ଧା ଖାଦ୍ୟ ଖାଆନ୍ତୁ।
ସଚେତନତା ବଢ଼ାନ୍ତୁ: ସ୍ୱାସ୍ଥ୍ୟ କର୍ମୀଙ୍କ ସହାୟତାରେ ଲୋକଙ୍କୁ ଲୁଣ ସେବନ ସମ୍ପର୍କରେ ଶିକ୍ଷିତ କରାଯାଉଛି। ସୋସିଆଲ ମିଡିଆ ମାଧ୍ୟମରେ ସହଜ ଭାଷାରେ ସୂଚନା ପ୍ରଚାର କରାଯାଉଛି।