fbpx

ନିର୍ବାଚନ ଡ୍ୟୁଟିରୁ ବର୍ତ୍ତିବା ପାଇଁ ବାହାନା, ୭ ଦିନରେ ୫୦୦ରୁ ଅଧିକ କର୍ମଚାରୀଙ୍କ ଆବେଦନ

ରାଞ୍ଚି: ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ । ଏଥିପାଇଁ ପଲ୍ଲୀରୁ ସହର ସବୁଆଡ଼େ ନିର୍ବାଚନୀ ମାହୋଲ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଜୋରସୋରରେ ଜାରି ରଖିଛନ୍ତି ନିର୍ବାଚନୀ ପ୍ରସ୍ତୁତି । ଅପରପକ୍ଷରେ ସରକାରୀ କର୍ମଚାରୀଙ୍କ ମୁହଁରେ ନିରାଶା ଦେଖିବାକୁ ମିଳିଛି କାରଣ ସେମାନଙ୍କୁ ନିର୍ବାଚନୀ ଡ୍ୟୁଟି କରିବାକୁ ପଡ଼ିବ । ଏଥିରୁ ବର୍ତ୍ତିବା ପାଇଁ ରାଞ୍ଚିର ପ୍ରାୟ ୫୦୦ ସରକାରୀ କର୍ମଚାରୀ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଦର୍ଶାଇ ଜିଲ୍ଲା ଅଧିକାରୀଙ୍କ ନିକଟରେ ଆବେଦନ କରିଛନ୍ତି ।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଝାଡ଼ଖଣ୍ଡର ରାଞ୍ଚିରେ ନିର୍ବାଚନ ଦାୟିତ୍ୱରୁ ବର୍ତ୍ତିବା ପାଇଁ ସରକାରୀ କର୍ମଚାରୀଙ୍କ ବାହାନାବାଜୀ ଆରମ୍ଭ ହୋଇଯାଇଛି । ସୂଚନାରୁ ପ୍ରକାଶ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ସମ୍ବନ୍ଧୀୟ ପ୍ରାୟ ୫୦୦ ଆବେଦନ ଗୋଟିଏ ସପ୍ତାହରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ଆସିଛି । ଏହି ଆବେଦନରେ ଉଚ୍ଚ ରକ୍ତଚାପ, ରକ୍ତଶର୍କରା, ହୃଦୟ ସମ୍ବନ୍ଧୀୟ ରୋଗ, ଡାୟଲିସିସ୍ ଭଳି ଅନ୍ୟାନ୍ୟ ଗମ୍ଭୀର ରୋଗ ବିଷୟରେ ଉଲ୍ଲେଖ ଥିଲା । ଏହି ଆବେଦନର ଯାଞ୍ଚ ହେତୁ ଜିଲ୍ଲା ଉପାୟୁକ୍ତ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବା ସହ ଅନୁସନ୍ଧାନ କରିବା ପାଇଁ ଜିଲ୍ଲା ସିଭିଲ ସର୍ଜନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ମାର୍ଚ୍ଚ ୨୧କୁ ଜିଲ୍ଲା ସିଭିଲ ସର୍ଜନ ଏକ ମେଡିକାଲ ଟିମ୍ ଗଠନ କରିଥିଲେ । ଜିଲ୍ଲା ସିଭିଲ ସର୍ଜନ ପ୍ରଭାତ କୁମାରଙ୍କ କହିବାନୁଯାୀ ମେଡିକାଲ ବୋର୍ଡ଼ ଟିମ୍ ସମସ୍ତ ଆବେଦନର ଯାଞ୍ଚ କରୁଛି । ଏହି ଟିମରେ ସମସ୍ତ ପ୍ରକାର ଅର୍ଥୋପେଡିକ୍ ଏବଂ ସ୍ପେଶାଲିଷ୍ଟ ଡାକ୍ତର ସାମିଲ ଅଛନ୍ତି । ତେବେ ଏହି ଯାଞ୍ଚ ପ୍ରକ୍ରିୟାର ସତ୍ୟାସତ୍ୟ ପରଖିବା ପରେ ଜଣା ପଡ଼ିବ ଯେ କେତେ ଜଣ କର୍ମଚାରୀ ବାସ୍ତବରେ ରୋଗୀ ଅଛନ୍ତି । ଏହା ସହ କେତେ ଜଣ କର୍ମଚାରୀଙ୍କୁ ଛୁଟି ମିଳିବ ଏବଂ କେତେ ଜଣ ନିର୍ବାଚନ ଡ୍ୟୁଟି କରିବେ ।

Get real time updates directly on you device, subscribe now.