fbpx

(video)‘ଦେଶ ପାଇଁ ରାହୁଲ ଗାନ୍ଧୀ ଜୀବନ ଦେଇ ସହୀଦ ହୋଇଛନ୍ତି’, ମହାର‌୍ୟାଲିରେ ଏପରି କହିଲେ ଖଡ୍‌ଗେ

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟର ମହାର‌୍ୟାଲି ଆୟୋଜନ କରାଯାଇଥିଲା । ଏହି ର‌୍ୟାଲିରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ତେଜସ୍ୱୀ ଯାଦବଙ୍କ ସହିତ ୨୮ ବିରୋଧୀ ଦଳର ନେତା ସାମିଲ ହୋଇଥିଲେ । ସମସ୍ତେ ର‌୍ୟାଲି ମଞ୍ଚରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ତେବେ ଯେତେବେଳେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଞ୍ଚକୁ କହିବାକୁ ଆସିଥିଲେ ସେତେବେଳେ ସେ ରାହୁଲ ଗାନ୍ଧୀଙ୍କୁ ନେଇ ଏପରି କହିଦେଲେ ଯାହାକୁ ନେଇ ବିରୋଧୀ ଏବେ ତାଙ୍କ ମଜାକ୍ ଉଡାଉଛନ୍ତି ।

ଋାମଲୀଳା ମଇଦାନରେ ବିରୋଧୀଙ୍କ ମହାର‌୍ୟାଲିରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରାହୁଲ ଗାନ୍ଧୀଙ୍କୁ ସହୀଦ ବୋଲି କହିଦେଲେ । ସେ କହିଥିଲେ, ‘ଆମେ ତ ଦେଶର ସ୍ୱାଧୀନତା ପାଇଁ ଲଢେଇ କରିଛୁ, ରକ୍ତ ଦେଇଛୁ । ଦେଶକୁ ଏକ ରଖିବା ପାଇଁ ଇନ୍ଦିରା ଗାନ୍ଧୀ ନିଜର ଜୀବନ ଦେଇଛନ୍ତି । ରାହୁଲ ଗାନ୍ଧୀ ତାଙ୍କ ଜୀବନ ଦେଇଛନ୍ତି, ତାଙ୍କ ଶରୀର ଦେଶ ପାଇଁ ଖଣ୍ଡ ଖଣ୍ଡ ହୋଇଯାଇଛି । ଇନ୍ଦିରା ଗାନ୍ଧୀ ଦେଶକୁ ଏକ ରଖିବା ପାଇଁ ୩୨ ଗୁଳି ଖାଇଛନ୍ତି ।’

ତେବେ ବିଜେପି ନେତା ଅମିତ ମାଲବ୍ୟ ଏହି ଭିଡିଓ ସେୟାର କରି କଂଗ୍ରେସର ମଜାକ୍ ଉଡାଇଛନ୍ତି । ଭିଡିଓ ସେୟାର କରି ସେ କହିଛନ୍ତି, ‘ଦେଶ ପାଇଁ ରାହୁଲ ଗାନ୍ଧୀଜୀ ନିଜ ଜୀବନ ଦେଇଛନ୍ତି । ତାଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଛି । ଯେ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ହିସାବ ପୁରା କରିନାହାନ୍ତି ସେ ପର୍ଯ୍ୟନ୍ତ ଖଡଗେ ବି ଶାନ୍ତିରେ ବସି ପାରିବେ ନାହିଁ ।’ତେବେ ଏହା ପ୍ରଥମ ଥର ପାଇଁ ନୁହେଁ କି ଖଡଗେଙ୍କ ପାଟିରୁ ରାହୁଲଙ୍କୁ ନେଇ ଏପରି କଥା ଖସିଯାଇଛି । ଗତ ବର୍ଷ ନଭେମ୍ବର ମାସରେ ମଧ୍ୟ ସେ ବିଧାନସଭା ନିର୍ବାଚନ ସମୟରେ ଏପରି ବୟାନ ଦେଇଥିଲେ । ସେ କହିଥିଲେ ଦେଶର ଏକତା ପାଇଁ ରାହୁଲ ଗାନ୍ଧୀଙ୍କ ଭଳି ନେତା ନିଜ ଜୀବନ ଦେଇଛନ୍ତି । ଏହାପରେ ସେ ତୁରନ୍ତ ନିଜ ଭୁଲ୍ ଜାଣିପାରି ଏହାକୁ ସଂଶୋଧନ କରିଥିଲେ ।

Get real time updates directly on you device, subscribe now.