fbpx

ଆଜି ସ୍ପେଶାଲ ‘Double Century’ କରିବେ ରବି ଅଶ୍ୱୀନ: ଧୋନୀ-ବିରାଟ କ୍ଲବରେ ହେବେ ସାମିଲ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ଦମଦାର ଆରମ୍ଭ କରିଛି ରାଜସ୍ଥାନ ରୋୟଲ୍ସ । ଗରୋଇ ମାଟିରେ ଦୁଇଟି ମ୍ୟାଚରେ ବିଜୟ ହାସଲ କରିଛି ରାଜସ୍ଥାନ । ତେବେ ଆଜି ୱାଙ୍ଖେଡେ ଷ୍ଟାଡିମୟରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଲଢିବ ସଞ୍ଜୁ ସେନା । ତେବେ ଏହି ମ୍ୟାଚରେ ଏକ ବିରାଟ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ । ଏହି ମ୍ୟାଚରେ ଏକ ସ୍ପେଶାଲ ଦ୍ୱିଶତକ ହାସଲ କରିବାର ସୁଯୋଗ ପାଇବେ ଅଶ୍ୱୀନ । ମୁମ୍ବାଇ ବିପକ୍ଷ ଏହି ମ୍ୟାଚରେ ମଇଦାନକୁ ଓହ୍ଲାଇବା ମାତ୍ରେ ଅଶ୍ୱୀନ ଏକ ଖାସ୍ କ୍ଲବରେ ସାମିଲ ହୋଇଯିବେ । ଅଶ୍ୱୀନଙ୍କ ପୂର୍ବରୁ ଏମ.ଏସ ଧୋନୀ ଏବଂ ବିରାଟ କୋହଲି ଏହି ରେକର୍ଡ ନିଜ ନାମରେ କରି ସାରିଛନ୍ତି ।

ମୁମ୍ବାଇ ବିପକ୍ଷ ମ୍ୟାଚରେ ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ନିଜର ୨୦୦ତମ ଆଇପିଏଲ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଆଇପିଏଲରେ ୨୦୦ରୁ ଅଧିକ ମ୍ୟାଚ ଖେଳିବା ତାଲିକାରେ ସେ ଦଶମ ଖେଳାଳି ଭାବରେ ଏହି ଉପଲବ୍ଧି ହାସଲ କରିବାକୁ ଯାଉଛନ୍ତି । ୨୦୦୯ ମସିହାରେ ଚେନ୍ନାଇ ସୁପର କିଙ୍ଗସ ତରଫରୁ ଆଇପିଏଲରେ ଡେବ୍ୟୁ କରିଥିଲେ ଅଶ୍ୱୀନ । ତେବେ ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ସମେତ ବିଭିନ୍ନ ଫ୍ରାଞ୍ଚାଇଜି ତରଫରୁ ମୋଟ ୧୯୯ଟି ମ୍ୟାଚ ଖେଳି ସାରିଛନ୍ତି । ତେବେ ମୁମ୍ବାଇ ବିପକ୍ଷ ଏହି ମ୍ୟାଚରେ ନିଜର ୨୦୦ତମ ମ୍ୟାଚ ଖେଳିବେ ଆର. ଅଶ୍ୱୀନ । ୧୯୯ଟି ମ୍ୟାଚରୁ ଅଶ୍ୱୀନ ୭୪୩ ରନ୍ କରିଥିବା ବେଳ ମୋଟ ୧୭୨ଟି ୱିକେଟ ଅକ୍ତିଆର କରିଛନ୍ତି । ଆଇପିଏଲରେ ସର୍ବାଦିକ ୱିକେଟ ହାସଲ କରିବା ତାଲିକାରେ ଅଶ୍ୱୀନ ପଞ୍ଚମ ସ୍ଥାନରେ ରହିଛନ୍ତି ।

୨୦୨୨ ଅକ୍ସନରେ ରାଜସ୍ଥାନ ରୋୟଲ୍ସ ଦଳରେ ସାମିଲ ହୋଇଥିଲେ ରବିଚନ୍ଦ୍ରନ ଅଶ୍ୱୀନ । ଏହାପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ, ରାଇଜିଙ୍ଗ ପୁଣେ ସୁପର ଜିଆଣ୍ଟସ, କିଙ୍ଗସ ଇଲେଭେନ୍ ପଞ୍ଜାବ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳି ସାରିଛନ୍ତି । ତେବେ ଚେନ୍ନାଇ ପକ୍ଷରୁ ୨୦୧୦ ଏବଂ ୨୦୧୧ ଦଳରେ ରହି ଚମ୍ପିଆନ୍ ହୋଇଥିଲେ ଅଶ୍ୱୀନ । ଏହାବ୍ୟତୀତ ୨୦୧୮-୧୯ ସିଜନରେ ପଞ୍ଜାବ ପାଇଁ ଅଧିନାୟକ ଦାୟିତ୍ୱ ମଧ୍ୟ ଗ୍ରହଣ କରିଥିଲେ । ତେବେ ତାଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ଖରାପ ରହିଥିବାରୁ ୨୦୨୦ ମସିହାରେ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଥିଲେ ।

ଆଇପିଏଲରେ ସର୍ବାଧିକ ମ୍ୟାଚ୍ ଖେଳିବା ତାଲିକାରେ ଶୀର୍ଷରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ଏମ୍ଏସ୍ ଧୋନୀ । ସେ ଚେନ୍ନାଇ ସୁପର କିଙ୍ଗସ ଏବଂ ଏବଂ ରାଇଜିଂ ପୁଣେ ସୁପର ଜିଆଣ୍ଟସ୍ ତରଫରୁ ମୋଟ ୨୫୩ଟି ମ୍ୟାଚ ଖେଳି ସାରିଛନ୍ତି । ଏହାପରେ ଆଜିର ମ୍ୟାଚରେ ରୋହିତ ଶର୍ମା ଆଇପିଏଲରେ ନିଜର ୨୪୬ ତମ ମ୍ୟାଚ୍ ଖେଳିବେ। ସେହିପରି ଭେଟେରାନ କ୍ରିକେଟର ଦୀନେଶ କାର୍ତ୍ତିକ ଆଇପିଏଲରେ ବିଭିନ୍ନ ଫ୍ରାଞ୍ଚାଇଜି ପାଇଁ ୨୪୫ ମ୍ୟାଚ୍ ଖେଳିଛନ୍ତି । ଏହି ତାଲିକାରେ ୨୪୦ଟି ମ୍ୟାଚ ଖେଳି ବିରାଟ କୋହଲି ଚତୁର୍ଥ ସ୍ଥାନରେ ରହିଛନ୍ତି।

Get real time updates directly on you device, subscribe now.