fbpx

ସବୁ ଆଡେ ମହଙ୍ଗା ମାଡ: ବିଧାୟକଙ୍କ ଦରମା ବି ବଢାଯାଉ, ବିଧାନସଭାରେ ଏକମତ ବିରୋଧୀ ଓ ଶାସକ

ଭୁବନେଶ୍ୱର: ବିଧାନସଭାର ଶୂନ୍ୟକାଳରେ ଉଠିଲା ଦରମା ବୃଦ୍ଧି ପ୍ରସଙ୍ଗ। ସବୁ ଆଡେ ମହଙ୍ଗା ମାଡ ହେଉଥିବା ବେଳେ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କୁ ଘେରିଲେ ଉଭୟ ଶାସକ ଏବଂ ବିରୋଧୀ ଦଳର ସମସ୍ତ ବିଧାୟକ। ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଶେଷ ଥର ପାଇଁ ୧୩ ସେପ୍ଟେମ୍ବର ୨୦୧୭ ମସିହାରେ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା। ଆଉ ସେବେ ଠାରୁ ଦରମା ବୃଦ୍ଧିରେ ବ୍ରେକ ଲାଗିଛି। ବର୍ତ୍ତମାନ ସବୁ କିଛି ମହଙ୍ଗା ହେବା ସହ ଯେଉଁ ହାରରେ ଦରବୃଦ୍ଧି ହେଉଛି ତାହା ତୁଳନାରେ ବିଧାୟକ ମାନଙ୍କ ଦରମା ବହୁତ କମ। ତେଣୁ ବିଧାୟକ ମାନଙ୍କର ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ଦାବି କରିଲେ ବିଜେପି ବିଧାୟକ ମୋହନ ମାଝୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ରାଜ୍ୟର ବିଧାୟକ ମାନଙ୍କ ତୁଳନାରେ ଆମ ରାଜ୍ୟରେ ବିଧାୟକ ମାନଙ୍କର ଦରମା ବହୁତ କମ। ଓଡ଼ିଶାରେ ବିଧାୟକ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ କୁ ମିଶାଇ ମୋଟ ୯୯ହଜାର ୮୦୦ଟଙ୍କା ରହିଛି ତେଣୁ ତାକୁ ବଢାଯିବା ଆବଶ୍ୟକ ରହିଛି । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି ମଧ୍ୟ ଦରମା ବଢ଼ାଇ କୁ ଦାବି କରିଛନ୍ତି। ବିଧାୟକ ମାନଙ୍କୁ ଅନେକ ସମାଜିକ କାର୍ଯ୍ୟକ୍ରମ ଯିବାକୁ ପଡୁଛି ଯାହା ପାଇଁ ତାଙ୍କୁ ଅଧିକ ଖର୍ଚ୍ଚାନ୍ତ ମଧ୍ୟ କରିବାକୁ ପଡୁଛି ତେଣୁ ବିଧାୟକ ଦରମା ବଢ଼ାଯିବା ଆବଶ୍ୟକ।

ବିଧାୟକମାନଙ୍କର ଦରମା ବୃଦ୍ଧି ସହ ପୂର୍ବତନ ବିଧାୟକ ମାନଙ୍କର ପେନସନ ପ୍ରସଙ୍ଗ ମଧ୍ୟ ଉଠିଛି। ପୂର୍ବତନ ବିଧାୟକ ମାନେ ମାତ୍ର ୩୦ହଜାର ଟଙ୍କା ପାଉଛନ୍ତି। ତେଣୁ ଉଭୟ ପୂର୍ବତନ ବିଧାୟକଙ୍କ ପେନସନ ଏବଂ ବିଧାୟକ ମାନଙ୍କ ଦରମା ବଢ଼ାଇବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି। ଅନ୍ୟପଟେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ କହିଛନ୍ତି ଦରମା, ପେନସନ ଏବଂ ମେଡ଼ିକାଲ ଆଲାଉନସ୍ ବଢ଼ାଇବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ସ୍ଵାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ବିଧାୟକ ମାନଙ୍କ ଦରମା ବଢ଼ାଇବାକୁ ଦାବି କରିଛନ୍ତି। ତେବେ ତିନୋଟି ଦଳ ଏହି ସମାନ ପ୍ରସଙ୍ଗ ଉପରେ ଦାବି କରିଥିବା ବେଳେ ସୁବିଚାର କରିବା ଲାଗି ବାଚସ୍ପତି ସରକାରଙ୍କୁ ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.