fbpx

ଫେସବୁକ୍ ଦେଉଛି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ କୌଣସି ଏକ ସ୍ମଲ୍ ବିଜନେସ୍ ଆରମ୍ଭ କରୁଛନ୍ତି, ତାହେଲେ ଆପଣ ଫେସବୁକ୍ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବ୍ୟବସାୟକୁ ବଢ଼ାଇପାରିବେ । ଏଥିରେ କେବଳ ଆପଣ ବିଜ୍ଞାପନ ଜରିଆରେ ବ୍ୟବସାୟକୁ ପ୍ରସାର କରିପାରିବେ ନାହିଁ ବରଂ ଏବେ ଫେସବୁକ୍ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ମଧ୍ୟ ଦେଉଛି । ଆଉ ଏହି ଲୋନ୍ ବ୍ୟବସ୍ଥାକୁ ଦେଶରେ ୩୦୦ରୁ ଅଧିକ ସହରରେ ଉପଲବ୍ଧ କରାଯାଉଛି । ତାହେଲେ ଚାଲନ୍ତୁ ଜାଣିବା ଲୋନ୍ ପାଇଁ କିପରି ଆବେଦନ କରିବେ ।

ଛୋଟ ଛୋଟ ବିଜନେସ୍ କରୁଥିବା କାରବାରୀ ମାନେ ଫେସବୁକ୍ ଭଳି ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି । ଦିନକୁ ଦିନ ଏହାର ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କ କାମକୁ ସହଜ କରିବାପାଇଁ ଏବେ ଏହି ଫ୍ଲାଟଫର୍ମ ସ୍ମଲ୍ ବିଜନେସ୍ ଲୋନ୍ ଇନିସିଏଟିଭ୍ ଆରମ୍ଭ କରିଛି । ତେବେ ଫେସବୁକ୍ ର ପ୍ୟାରେଣ୍ଟ୍ କମ୍ପାନୀ ମେଟା ସିଧାସଳଖ ଏହି ଲୋନ୍ ଦିଅନ୍ତି ନାହିଁ ବରଂ ଏଥିପାଇଁ ଇଣ୍ଡିଫି ସହିତ ପାର୍ଟନର୍ସିପ୍ କରାଯାଇଛି ।

ଏହି ଋଣ ପାଇଁ ଫେସବୁକ ଦୁଇଟି ସରଳ ସର୍ତ୍ତ ରଖିଛି । ପ୍ରଥମଟି ହେଉଛି ଏହି ଋଣ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କ ବ୍ୟବସାୟ ତାଙ୍କ ସେବା ନେଟୱାର୍କ ସହିତ ଭାରତୀୟ ସହରରେ ହେବା ଉଚିତ୍ । କମ୍ପାନୀ ପୂର୍ବରୁ ଭାରତର ୨୦୦ ସହରରେ ଏହି ସେବା ଆରମ୍ଭ କରିଥିଲା, ବର୍ତ୍ତମାନ ଏହା ୩୨୯ ଟି ସହରରେ ପ୍ରଦାନ କରୁଛି । ଦ୍ୱିତୀୟ ସର୍ତ୍ତ ହେଉଛି ଅନ୍ତତଃପକ୍ଷେ ଗତ ୬ ମାସ ପର୍ଯ୍ୟନ୍ତ ଆପଣ ମେଟା କିମ୍ବା ଫେସବୁକ୍ ସହିତ ଜଡିତ ଯେକୌଣସି ଆପ୍ ସହିତ ଜଡ଼ିତ ରହିଥିବେ ଏବଂ ବ୍ୟବସାୟ ପାଇଁ ବିଜ୍ଞାପନ ଦେଉଥିବା ଦରକାର । ଏହା ବ୍ୟତୀତ ଇଣ୍ଡିଫିର କିଛି ସର୍ତ୍ତ ଅଛି, ଯାହାକୁ ଯାଞ୍ଚ କରିବାକୁ ପଡ଼ିବ ।

ଲୋନ୍ ଆବେଦନ କରିବା ପ୍ରକ୍ରିୟା ଖୁବ୍ ସରଳ । ଏଥିପାଇଁ ଫେସବୁକ୍ ସ୍ମଲ୍ ବିଜନେସ୍ ଲୋନ୍ସ ଇନିସିଏଟିଭ୍ ର ପେଜ୍ କୁ ଯାଇ ଅନଲାଇନ୍ ଫର୍ମ ଭରିବାକୁ ପଡ଼ିବ । ଯଦି ଆପଣଙ୍କ ଲୋନ୍ ମଞ୍ଜୁର୍ ହେଉଛି ତାହେଲେ ତିନି ଦିନ ଭିତରେ ଟଙ୍କା ଆପଣଙ୍କୁ ମିଳିଯିବ । ଆବେଦନ କରିବା ସମୟରେ ଆପଣଙ୍କୁ କୌଣସି ଜିନିଷ ବନ୍ଧା ରଖିବାକୁ ପଡିବ ନାହିଁ । ଆହୁରି ମଧ୍ୟ, ଏହି ଋଣ ପାଇଁ ସୁଧ ହାର ପୂର୍ବରୁ ସ୍ଥିର ହୋଇସାରିଛି, ଯାହାକି କୌଣସି ରାଶି ପାଇଁ ବାର୍ଷିକ ୧୭ ରୁ ୨୦ ପ୍ରତିଶତ ମଧ୍ୟରେ ରହିବ । କେବଳ ଏତିକି ନୁହେଁ, କମ୍ପାନୀ ମହିଳା ଉଦ୍ୟୋଗୀମାନଙ୍କୁ ୦.୨% କମ୍ ସୁଧ ହାରରେ ଲୋନ୍ ଦେବ ।

Get real time updates directly on you device, subscribe now.