fbpx

ଖବରକାଗଜ ମାଲିକ ଫସିଲେ, ସିବିଆଇ ଧରିଲା ଠକେଇ ପାଇଁ…

ଓଡ଼ିଶା ଭାସ୍କର ବ୍ୟୁରୋ: ଆଳ ଥିଲା ଖବରକାଗଜ । ଆଉ ସରକାରୀ ବିଜ୍ଞାପନ ପାଇଁ କରୁଥିଲେ ସମସ୍ତ ପ୍ରକାର ଷଡ଼ଯନ୍ତ୍ର । ଏହି ଠକେଇ ପାଇଁ ଧରିନେଲା ସିବିଆଇ ଆଉ ଫସିଲେ ଖବରକାଗଜ ମାଲିକ । ଦୀର୍ଘ ବର୍ଷ ଧରି ଏଭଳି କାଣ୍ଡ କାରନାମା ଚଳାଇ ଆସୁଥିଲେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯେ ସୂଚନା ଓ ପ୍ରସାରଣ ବିଭାଗ ଅଧୀନରେ ରହିଥିବା ବ୍ୟୁରୋ ଅଫ୍ ଆଉଟ୍ ରିଚ୍ ଆଣ୍ଡ କମ୍ୟୁନିକେସନ୍ (ବିଓସି) ଶାଖାର କେତେକ ଅଧିକାରୀ ଏଭଳି ଠକେଇ କାରବାରରେ ସମ୍ପୃକ୍ତ ରହିଥିବା ଜଣାପଡ଼ିଛି ।

ଏଭଳି ମାମଲା ହାତକୁ ନେବା ସହ ସମ୍ପୃକ୍ତ ଠକ ଖବରକାଗଜ ମାଲିକଙ୍କ ସମେତ ୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି ସିବିଆଇ । ପୂର୍ଣ୍ଣ ବିବରଣୀ ଅନୁସାରେ ହରୀଶ ଲାମ୍ବା, ଆରତୀ ଲାମ୍ବା ଓ ଅଶୋକ କୁମାର ନାମକ ୩ ଜଣ ବ୍ୟକ୍ତି ୬ଟି ଖବର କାଗଜ ପ୍ରକାଶ କରୁଛନ୍ତି । ସେଥିମଧ୍ୟରୁ ୩ଟି ଖବରକାଗଜ ‘ଅର୍ଜୁନ ଟାଇମ୍ସ’, ‘ହେଲ୍ଥ ଅଫ୍ ଭାରତ’ ଏବଂ ‘ଦିଲ୍ଲୀ ହେଲ୍ଥ’ ପାଇଁ ତଞ୍ଚକତା କରି ସରକାରୀ ବିଜ୍ଞାପନ ପାଇବାକୁ ବିଓସି ପ୍ୟାନେଲ୍ରେ ନାମ ପୂରାଇ ଦେଇଛନ୍ତି । କିନ୍ତୁ ସିବିଆଇ ତଥ୍ୟ ଅନୁସାରେ ସବୁ ଜାଲ୍ କାଗଜପତ୍ର ଜରିଆରେ କରାଯାଇଛି । ଏହି ସବୁ କାଗଜର ପ୍ରସାର ମାତ୍ର ଦେଢ଼ଶହ ଭିତରେ ବୋଲି ମଧ୍ୟ ଧରାପଡ଼ିଛି । ଖାଲି ସେତିକି ନୁହେଁ, ଯେଉଁ ପ୍ରେସ୍ରେ ଅର୍ଜୁନ ଟାଇମ୍ସ ଛପାଯାଉଥିବା କୁହାଯାଇଥିଲା ତାହା ମଧ୍ୟ ମିଥ୍ୟା ବୋଲି ସ୍ପଷ୍ଟ ହୋଇଛି । କିନ୍ତୁ ୨୦୧୭ରେ ୨୫ ହଜାରରୁ ଅଧିକ ସଂଖ୍ୟକ କପି ଛପା ଯାଉଛି ବୋଲି ସମ୍ପୃକ୍ତ ଠକଦଳ ସରକାରଙ୍କୁ ଅବଗତ କରାଇଥିଲେ ।

ମୋଟାମୋଟି ଭାବେ ବିଗତ ୩ ବର୍ଷ ଭିତରେ ସମ୍ପୃକ୍ତ ଖବରକାଗଜ ୬୨ ଲକ୍ଷ ଟଙ୍କାର ସରକାରୀ ବିଜ୍ଞାପନ ହାତେଇ ନେଇଛନ୍ତି । ସିବିଆଇ ମାମଲା ରୁଜୁ କରିବା ସହ ଖୋଳତାଡ଼ ଚଳାଇଛି ।

Get real time updates directly on you device, subscribe now.