fbpx

ଘରେ ସାପ ସାଲୁବାଲୁ, ବାହାରେ ପରିବାର, ପ୍ରତିଶ୍ରୁତି ଦେଇ ଠକି ଦେଲା ପ୍ରଶାସନ..

ଭଦ୍ରକ: ପ୍ରଶାସନକୁ ଭରସା କରି ଆଜି ବାସହୀନ ହୋଇଯାଇଛି ଗୋଟିଏ ପରିବାର । ପ୍ରଥମେ ସାପ ଆଉ ତା’ ପରେ ପ୍ରଶାସନ ଦୁହେଁ ପରିବାରକୁ ଠକି ଦେଇଛନ୍ତି । ଘର ନଥିବାରୁ ପର ବାରଣ୍ଡାରେ କଟୁଛି ରାତି । ମୁଣ୍ଡ ଗୁଞ୍ଜିବା ପାଇଁ ପର ଦୁଆର ହିଁ ସାହା ଭରସା ପାଲଟିଛି । ସେପଟେ ପ୍ରଶାସନ ବି ପାଲଟି ଯାଇଛି ଦର୍ଶକ । ଘର ଦେବ ଦେବ କହି ବାସ କେବଳ ଆଶ୍ୱାସନା ଆଉ ପ୍ରତିଶ୍ରୁତି ଦେଇ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ଘର ଖଣ୍ଡିଏ ଦେଇ ପାରିନି ଜିଲ୍ଲା ପ୍ରଶାସନ ।

ଏମିତି ଏକ ଚିନ୍ତାଜନକ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ ନାଆମୀ ଗାଁରେ । ଗାଁର ଦାଶରଥୀ ଜେନାଙ୍କ ଆର୍ôଥକ ଅବସ୍ଥା ଏତେଟା ସ୍ୱଚ୍ଛଳ ନୁହେଁ । ନିଜ ଝାଟିମାଟିରେ ଘରେ ଦୁଃଖକଷ୍ଟରେ ସେମାନଙ୍କ ଜୀବନ ବିତି ଯାଉଥିଲା । କିନ୍ତୁ ସାପ ବାହାରିବାରୁ ପ୍ରଶାସନ ତରଫରୁ ପକ୍କା ଘର ଦେବ କହି ୨୦୧୯ରେ ଘରଟିକୁ ଭାଙ୍ଗିଦେଇଛି । ହେଲେ ଏମାନଙ୍କର ପକ୍କା ଘର ସ୍ୱପ୍ନ ଏପର୍ଯ୍ୟନ୍ତ ଅଧୂରା ହୋଇ ରହିଯାଇଛି । ବିଡିଓଙ୍କ କଥାରେ ଭରସା କରି ଘର ଭାଙ୍ଗିବାକୁ ହଁ ଭରିଥିଲେ ଦାଶରଥୀ ଜେନା । କିନ୍ତୁ ସେବେଠାରୁ ଅନେକ ଥର ଗୁହାରୀ ପରେ ବି ଘର ଖଣ୍ଡେ ପାଇ ପାରି ନାହାନ୍ତି । ଫଳରେ ପଡ଼ୋଶୀଙ୍କ ଓଳି ତଳେ ପଲିଥିନ ଟାଙ୍ଗୀ ଜୀବନ ବିତାଉଛନ୍ତି ଦାଶରଥୀଙ୍କ ପରିବାର ।

ତେବେ ଏ ଘଟଣା ଦିନେ ନୁହେଁ କି ମାସେ ନୁହେଁ, ଗଲା ତିନି ବର୍ଷ ଧରି ଏପରି ଦୁଃଖ ସହୁଛନ୍ତି ଏହି ଅସହାୟ ପରୀବାର । ଘର ନଥିବାରୁ ଏକମାତ୍ର ପୁଅର ବାହାଘର ମଧ୍ୟ କରିପାରୁ ନାହାନ୍ତି ଦାଶରଥୀ । ପ୍ରଥମେ ବିଜୁ ପକ୍କା ଘର ଏବଂ ପରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦିଆଯିବ ବୋଲି କହିଥିଲା ପ୍ରଶାସନ । କିନ୍ତୁ ଗୋଟିଏ ପରେ ଗୋଟିଏ କାରଣ ଦେଖାଇ ତାଙ୍କୁ କୌଣସି ଘର ମିଳିଲାନି । ପକ୍କା ଘର ତ ମିଳିଲାନି, ବରଂ ନିଜର ଝାଟିମାଟି ଘର ଖଣ୍ଡିକ ହରାଇ ଏବେ ବାର ଦୁଆର ଶୁଣ୍ଡିପିଣ୍ଡା ହେଉଛନ୍ତି ଦାଶରଥୀ ଓ ପରିବାର ।

୨୦୧୯ ଜୁନ୍ ମାସରେ ଦାଶରଥୀଙ୍କଘରୁ ଗୋଟିଏ ବଡ଼ ସାପ ସହ ୨୭ଟି ସାପ ଛୁଆ ଓ ୫୨ଟି ଅଣ୍ଡା ବାହାରିଥିଲା । ଭଦ୍ରକ ସ୍ନେକ ହେଲପଲାଇନର ୩ ଦିନର ଲଗାତାର ଚେଷ୍ଟା ପରେ ମଧ୍ୟ ସାପ ଉଦ୍ଧାର ହେବା ବନ୍ଦ ହୋଇ ନଥିଲା । ତେଣୁ ମାଟି ତଳେ ଆହୁରି ସାପ ରହିଥିବା ଆଶଙ୍କା କରି ଦାଶରଥୀଙ୍କ ଘର ଭାଙ୍ଗି ସାପ ଧରିବାକୁ କହିଥିଲେ ତତ୍କାଳୀନ ବିଡିଓ । ଘର ଭାଙ୍ଗବାର ୧୦ ଦିନ ମଧ୍ୟରେ ଆବାସ ଗୃହ ଯୋଗାଇ ଦିଆଯିବ ବୋଲି ଦାଶରଥୀଙ୍କୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା । ତେବେ ଏ ଘଟଣାକୁ ୩ ବର୍ଷ ବିତି ଯାଇଥିଲେ ବି ଦାଶରଥୀଙ୍କୁ ନା ମିଳିଛି ଘର ନା ପ୍ରଶାସନର ଦେଖା । ଏମିତି ପରିସ୍ଥିତିରେ ଖରା, ବର୍ଷା, ଶୀତ, କାକରରେ ପର ଦୁଆରେ ପଡି ରହିଛନ୍ତି ଦାଶଣଥୀ ଏବଂ ତାଙ୍କ ପରିବାର ।

Get real time updates directly on you device, subscribe now.