fbpx

ପ୍ରଖ୍ୟାତ ହିନ୍ଦି କଥାକାର ଶେଖର ଜୋଶୀଙ୍କ ପରଲୋକ

ନୂଆଦିଲ୍ଲୀ: ହିନ୍ଦି ଭାଷାର ପ୍ରଖ୍ୟାତ କଥାକାର ଶେଖର ଜୋଶୀଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ସେ ତାଙ୍କର ଜୀବନକାଳରେ ଦାଜ୍ୟୁ, କୋସି କା ଘଟୱାର ପରି ଅନେକ ପ୍ରଗତିଶୀଳ କାହାଣୀ ଦେଇଯାଇଛନ୍ତି । ତାଙ୍କର ମୃତ୍ୟୁରେ ସାହିତ୍ୟ ଜଗତରେ ଶୋକର ଲହରୀ ଖେଳଯାଇଛି । ତାଙ୍କର ମୃତ୍ୟୁ ପରେ ବିଭିନ୍ନ ମହଲରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

୧୯୩୨ ମସିହା ଡିସେମ୍ବର ୧୦ ତାରିଖରେ ଉତ୍ତରାଖଣ୍ଡର ଅଲ୍ମୋଡ଼ା ଜିଲ୍ଲାର ଓଲିୟା ଗ୍ରାମରେ ଶେଖର ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଲିଖିତ କାହାଣୀ ଏତେ ଉଚ୍ଚକୋଟୀର ଥିଲା ଯେ ତାହାକୁ ଇଂରାଜୀ, ରୁଷୀୟ ଓ ଜାପାନୀ ପରି ଅନେକ ଭାଷାରେ ଅନୁବାଦ କରାଯାଇଥିଲା । ତାଙ୍କର ଦାଜ୍ୟୁ ବାଲି କାହାଣୀକୁ ନେଇ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଥିଲା ।

ଶେଖରଙ୍କ କଳା ଏତେ ହୃଦୟସ୍ପର୍ଶୀ ଥିଲା ଯେ, ତାଙ୍କୁ ଏକାଧିକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସାହିତ୍ୟ କ୍ଷେତ୍ରକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୧୯୮୭ରେ ତାଙ୍କୁ ମହାବୀର ପ୍ରସାଦ ଦ୍ୱିବେଦୀ ପୁରସ୍କାର, ୧୯୯୫ରେ ସାହିତ୍ୟ ଭୂଷଣ ପ୍ରଦାନ କରାଯାଇଥିଲା । ନିକଟରେ ଉତ୍ତରପ୍ରଦେଶ ସରକାର ତାଙ୍କୁ ଶ୍ରୀଲାଲ ଶୁକ୍ଲ ସମ୍ମାନରେ ସମ୍ମାନିତ କରିଥିଲେ । ନିଜ କାହାଣୀରେ ଶେଖର ସର୍ବଦା ପାହାଡ଼କୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଉଥିଲେ । ଯେହେତୁ ସେ ଉତ୍ତରାଖଣ୍ଡର ନିବାସୀ ଥିଲେ, ତେଣୁ ସେ ତାଙ୍କର ରଚନାରେ ପାହାଡ଼ର ଚିନ୍ତାବ୍ୟକ୍ତ କରୁଥିବା ଦେଖିବାକୁ ମିଳୁଥିଲା ।

Get real time updates directly on you device, subscribe now.