fbpx
BJD SKY
BJD SKY

ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା: ରବି ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ ହେଲା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବ ବର୍ଷ ପରି ଚଳିତ ରବି ଋତୁ (ଧାନ ସଂଗ୍ରହ ବର୍ଷ ୨୦୨୩-୨୪) ପାଇଁ ରାଜ୍ୟ ସରକାର ଚାଷୀଙ୍କଠାରୁ ସେମାନଙ୍କର ବଳକା ଧାନ କ୍ରୟ କରିବେ । ସେଥିପାଇଁ ଚାଷୀମାନେ ସେମାନଙ୍କର ଅଧିକୃତ ପ୍ୟାକ୍ସ / ଲ୍ୟାମ୍ପସ / ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ / ପାଣି ପଞ୍ଚାୟତରେ ଆଗୁଆ ପଞ୍ଜିକରଣ କରିବା ଆବଶ୍ୟକ । ସେନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗତ ରବି ଋତୁରେ ପଞ୍ଜିକୃତ ହୋଇଥିବା ଚାଷୀମାନେ ନବୀକରଣ କରି ଚଳିତ ରବି ଋତୁ ପାଇଁ ପଞ୍ଜିକୃତ ହେବେ । ସେଥିପାଇଁ ନିଜ ନିଜର ସମିତିମାନଙ୍କରେ ମାର୍ଚ୍ଚ ୧ରୁ ୧୫ ତାରିଖ ମଧ୍ୟରେ ନବୀକରଣ ଫର୍ମ ଉପଲବ୍ଧ ହେବ । ଯେଉଁ ଚାଷୀମାନେ ଗତ ରବି ଋତୁରେ ପଞ୍ଜିକରଣ କରିନଥିବେ ସେମାନେ ନିଜ ନିଜର ସମିତିରୁ ଗୋଟିଏ ନୂତନ ପଞ୍ଜିକରଣ ଫର୍ମ ନେଇ ପୂରଣ କରିବେ । ତାହା ବିଭାଗୀୟ ୱେବସାଇଟ www.foododisha.inରେ ଉପଲବ୍ଧ ରହିଛି । ନୂଆ ଫର୍ମରେ ସମସ୍ତ ବ୍ୟକ୍ତିଗତ ତଥ୍ୟ ସହ ଜଳସେଚିତ ଜମି ସଂକ୍ରାନ୍ତୀୟ ଖାତା ଓ ପ୍ଲଟର ବିଶଦ ବିବରଣୀ ଦେବାକୁ ପଡ଼ିବ । ଏପ୍ରିଲ ପହିଲାରୁ ଜୁନ୍ ୩୦ ମଧ୍ୟରେ ରବି ଧାନ ସଂଗ୍ରହ ହେବ ।

ପଞ୍ଜିକରଣ / ନବୀକରଣ ପାଇଁ ନିଜ ନିଜ ସମିତି ସହ ଯୋଗାଯୋଗ କରିବାକୁ ସମସ୍ତ ଚାଷୀଙ୍କୁ ଅନୁରୋଧ କରାଯାଇଛି । ଚାଷୀମାନେ ପଞ୍ଜିକରଣ / ନବୀକରଣ ଫର୍ମ ପୂରଣ କରି ସମିତି କାର୍ଯ୍ୟାଳୟରେ ମାର୍ଚ୍ଚ ପହିଲାରୁ ୨୦ ତାରିଖ ମଧ୍ୟରେ ଦାଖଲ କରିବେ । ସମିତି କର୍ମକର୍ତ୍ତା ନବୀକରଣ ଫର୍ମ ପ୍ରିଣ୍ଟ କରି ପୂର୍ବରୁ ପଞ୍ଜିକୃତ ହୋଇଥିବା ଚାଷୀଙ୍କୁ ପ୍ରଦାନ କରିବେ । ସମିତି କର୍ମକର୍ତ୍ତା ଉଭୟ ନବୀକରଣ ଫର୍ମ ଓ ପଞ୍ଜିକରଣ ଫର୍ମରେ ଥିବା ତଥ୍ୟକୁ ମାର୍ଚ୍ଚ ୧ରୁ ୨୭ ତାରିଖ ମଧ୍ୟରେ ତାଙ୍କ ଲଗିନରେ ଡିଜିଟାଇଜ୍ କରିବେ । ଡିଜିଟାଇଜେସନ କାର୍ଯ୍ୟ ନିର୍ଭୁଲ ହେବା ଆବଶ୍ୟକ । ଏପ୍ରିଲ ମାସ ୩୦ ମଧ୍ୟରେ ନିର୍ଭୁଲ ଚାଷୀ ତାଲିକା ପ୍ରସ୍ତୁତ ହେବା ଆବଶ୍ୟକ । ଏନେଇ ଯଦି କୌଣସି ଅଭିଯୋଗ ଥାଏ ତେବେ ଦେୟମୁକ୍ତ ହେଲପ୍ ଲାଇନ ନମ୍ବର ୧୯୬୭ରେ ସରକାରୀ କାର୍ଯ୍ୟ ସମୟ ମଧ୍ୟରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.