fbpx

ଆପ୍ ନେତାଙ୍କୁ ଗୁଳି ମାଡ; ରେଳ ଫାଟକ ନିକଟରେ ପିଛା କରି ହତ୍ୟା

ଓଡ଼ିଶା ଭାସ୍କର: ପଞ୍ଜାବର ତରନ ତାରନ୍ ଜିଲ୍ଲାରେ ଆମ୍ ଆଦମୀ ପାର୍ଟି (ଆପ୍)ର ଜଣେ ନେତାଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା କରାଯାଇଛି । ହତ୍ୟାକାରୀମାନେ ପ୍ରଥମେ କାରକୁ ପିଛା କରିଥିଲେ । ରେଳ ଫାଟକ ବନ୍ଦ ଥିବାରୁ ଶ୍ରୀ ଗୋଇଣ୍ଡୱାଲ ସାହିବ ନିକଟରେ ଟ୍ରେନ୍ ଅଟକିଥିବା ବେଳେ ହତ୍ୟାକାରୀମାନେ ତୁରନ୍ତ ଗୁଳି ଚଳାଇ ହତ୍ୟା କରିଥିଲେ । ପ୍ରାଣ ହରାଇଥିବା ଆପ୍ ନେତାଙ୍କ ନାମ ଗୁରପ୍ରୀତ ସିଂହ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗୁରପ୍ରୀତ ସିଂହ ଓରଫ ଗୋପୀ ଚୋହଲା ସାହିବର ବାସିନ୍ଦା ଥିଲେ । ଶୁକ୍ରବାର ସକାଳେ ନିଜ କାର୍ ରେ ଅଦାଲତରେ ତାରିଖ ପକାଇବାକୁ ଲୋଧି କୋର୍ଟ ଯାଉଥିଲେ । ଯେତେବେଳେ ଗୁରପ୍ରୀତ ସିଂଙ୍କ କାର୍ ଫତେହାବାଦ ରେଳ ଫାଟକ ନିକଟରେ ପହଞ୍ଚିଲା, ଗେଟ୍ ବନ୍ଦ ହୋଇଯାଇଥିଲା । ଠିକ୍ ଏହି ସମୟରେ ଏକ ସୁଇଫ୍ଟ କାର୍ ରେ ଥିବା ଆକ୍ରମଣକାରୀମାନେ ତାଙ୍କୁ ପିଛା କରିଥିଲେ । ସେମାନେ ଗୁରପ୍ରୀତ ସିଂହଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ।

ଏହି ଆକ୍ରମଣରେ ଗୁରପ୍ରୀତ ସିଂହଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଘଟଣା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ମୃତ ଗୁରପ୍ରୀତ ସିଂହ ବିଧାନସଭା ହଲକା ଖଦୁର ସାହିବର ବିଧାୟକ ମନଜିନ୍ଦର ସିଂ ଲାଲପୁରାଙ୍କ ଅତି ନିକଟତର ଥିଲେ । ଏହି ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତରନତାରନ ଏସପି ଅଶ୍ୱିନୀ କପୁର କହିଛନ୍ତି ଯେ ମୃତକଙ୍କ ୫ଟି ଗୁଳି ବାଜିଛି ।

Get real time updates directly on you device, subscribe now.