fbpx

କେନ୍ଦ୍ର ସରକାରଙ୍କ ୫ ବର୍ଷିଆ MSP ଚୁକ୍ତି ଅଫରକୁ ପ୍ରତ୍ୟାଖ୍ୟାନ କଲା କୃଷକ ସଂଘ

ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ନିକଟରେ କୃଷକ ସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ କୃଷକ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଲୋଚନା ହୋଇଥିଲା । ତେବେ ଉକ୍ତ ଆଲୋଚନା ଅବସରରେ କେନ୍ଦ୍ର ସରକାର ୫ ବର୍ଷିଆ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) ଚୁକ୍ତି ଅଫର ଦେଇଥିଲେ । ମାତ୍ର ଉକ୍ତ ଅଫରକୁ କୃଷକ ସଂଘ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକ ଓ କିଛି କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରେ ଗତ ୧୭ ତାରିଖ ରାତିରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ତେବେ କୃଷକଙ୍କ ‘ଦିଲ୍ଲୀ ଚଲୋ’ ଅଭିଯାନ ସହିତ ସିଧାସଳଖ ଭାବେ ସମ୍ପର୍କରେ ନଥିବା କୃଷକ ସଂଘର ଏକ ଅମ୍ବ୍ରେଲା ସଂସ୍ଥା ସମ୍ୟୁକ୍ତ କିଷାନ ମୋର୍ଚ୍ଚ (ଏସକେଏମ) ପକ୍ଷରୁ କେନ୍ଦ୍ର ସରକାର ୫ ବର୍ଷିଆ ଏମଏସପି ଚୁକ୍ତି ଅଫରକୁ ପ୍ରତ୍ୟାଖାନ କରାଯାଇଥିଲା ।

ଗତକାଲି ରାତିରେ କୃଷକ ନେତାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ର୍ରୀ ନିତ୍ୟାନନ୍ଦ ରାଏ ସାମିଲ ହୋଇଥିଲେ । ଡାଲି, ମକା ଓ କପାସ ଶସ୍ୟକୁ କୃଷକଙ୍କଠାରୁ ଏମଏସପିରେ କ୍ରୟ କରିବା ପାଇଁ ୩ କେନ୍ଦ୍ରମନ୍ତ୍ରୀଙ୍କ ପ୍ୟାନେଲ ପକ୍ଷରୁ କୃଷକ ସଂଘକୁ ଏକ ୫ ବର୍ଷିୟା ପ୍ଲାନ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ଉକ୍ତ ପ୍ରସ୍ତାବକୁ ଏସକେଏମ ନିନ୍ଦା କରିବା ସହିତ ତାହାକୁ ପ୍ରତ୍ୟାଖାନ କରିଦେଇଛି । କୃଷକଙ୍କ ଦାବିକୁ ଅଣଦେଖା କରାଯାଉଛି ଓ ବର୍ତ୍ତମାନ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ ଆଲୋଚନାରେ କୌଣସି ସ୍ୱଚ୍ଛତା ନଥିବା ସଂଘ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.