FASTag: ନୀତିନ ଗଡକରୀଙ୍କ ବଡ଼ ଘୋଷଣା, 3000 ଟଙ୍କାର ବାର୍ଷିକ ପାସ୍ ଆରମ୍ଭ

15 ଅଗଷ୍ଟରୁ କାର୍ଯ୍ୟକାରୀ ହେବ 3000 ଟଙ୍କାର ବାର୍ଷିକ ପାସ୍ ।

ନୂଆଦିଲ୍ଲୀ: ଟୋଲ ପାସକୁ ନେଇ ଆଜି ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଭାରତ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଅନୁଯାୟୀ, ୧୫ ଅଗଷ୍ଟ ୨୦୨୫ରୁ ମାତ୍ର ୩,୦୦୦ ଟଙ୍କା ମୂଲ୍ୟରେ FASTag ଆଧାରିତ ବାର୍ଷିକ ପାସ ଆରମ୍ଭ ହେବ।

ଏହା ସକ୍ରିୟ ହେବା ତାରିଖରୁ ଗୋଟିଏ ବର୍ଷ କିମ୍ବା 200 ଯାତ୍ରା ପାଇଁ ବୈଧ ହେବ । ଏହି ବାର୍ଷିକ ପାସ କେବଳ ଅଣ-ବାଣିଜ୍ୟିକ ବ୍ୟକ୍ତିଗତ ଯାନ (ଯଥା କାର, ଜିପ୍, ଭ୍ୟାନ ଆଦି) ପାଇଁ ଉଦ୍ଦିଷ୍ଟ ଏବଂ ଏହା ଦେଶର ରାଷ୍ଟ୍ରୀୟ ରାଜପଥରେ ନିର୍ବାଧ ଯାତ୍ରାକୁ ସମ୍ଭବ କରିବ ।

ଆପ୍ ଏବଂ ୱେବସାଇଟରେ ପୃଥକ ଲିଙ୍କ୍ ଉପଲବ୍ଧ- ବାର୍ଷିକ ପାସର ସକ୍ରିୟଣ ଓ ନବୀକରଣ ପାଇଁ ଶୀଘ୍ର ରାଜପଥ ଯାତ୍ରା ଆପ୍ ଏବଂ NHAI/MoRTHର ଓ୍ୱେବସାଇଟରେ ଏକ ସ୍ୱତନ୍ତ୍ର ଲିଙ୍କ ଉପଲବ୍ଧ ହେବ, ଯାହା ପ୍ରକ୍ରିୟାକୁ ସରଳ ଓ ସୁବିଧାଜନକ କରିବ ।

ଟୋଲ୍ ଦେୟକୁ ସହଜ କରିବା ପାଇଁ ପ୍ରୟାସ-ଏହି ନୀତି ୬୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଟୋଲ ପ୍ଲାଜାଗୁଡ଼ିକ ସମ୍ବନ୍ଧୀୟ ଦୀର୍ଘଦିନର ଚିନ୍ତାକୁ ସମାଧାନ କରିବ ଏବଂ ଗୋଟିଏ ସହଜ ଲେଣଦେଣ ମାଧ୍ୟମରେ ଟୋଲ ଦେୟକୁ ସୁଗମ କରିବ ବୋଲି ନୀତିନ ଗଡକରୀ କହିଛନ୍ତି ।

ସୁଗମ ଏବଂ ଉତ୍ତମ ଯାତ୍ରା ଅଭିଜ୍ଞତା ପାଇଁ ପ୍ରତିବଦ୍ଧ- କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଅପେକ୍ଷା ସମୟ ହ୍ରାସ, ଭିଡ଼ କମାଇବା ଏବଂ ଟୋଲ ପ୍ଲାଜାରେ ବିବାଦ ନିରାକରଣ କରି ଏହି ବାର୍ଷିକ ପାସ ଲକ୍ଷାଧିକ ନିଜି ଯାନବାହାନ ଚାଳକଙ୍କ ପାଇଁ ଦ୍ରୁତ, ସୁଗମ ଓ ଉନ୍ନତ ଯାତ୍ରା ଅନୁଭବ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ।