fbpx

ଶିଶୁକନ୍ୟା ଦିବସରେ କନ୍ୟା ସନ୍ତାନ ହେଲା ଅଲୋଡ଼ା: ଦ୍ୱିତୀୟ ଝିଅ ଜନ୍ମ ହେବାରୁ ମା’ ଓ ଛୁଆଙ୍କୁ ହତ୍ୟା ଧମକ ଦେଲେ ବାପା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅକ୍ଟୋବର ମାସ ୧୧ ତାରିଖରେ ପ୍ରତିବର୍ଷ ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ଭାବେ ପାଳନ କରାଯାଏ । ଝିଅମାନଙ୍କୁ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦେବା, ସେମାନଙ୍କୁ ଅଧିକାର ପ୍ରଦାନ କରିବା ଓ ଲିଙ୍ଗଗତ ସମାନତା ଲକ୍ଷ୍ୟ ନେଇ ଏହି ଦିବସକୁ ବିଶ୍ୱସ୍ତରରେ ପାଳନ କରାଯାଉଛି । ତେବେ ଆଜି ବି କନ୍ୟା ସନ୍ତାନ ଅନେକ ସ୍ଥାନରେ ଅବହେଳିତ, ନିର୍ଯାତିତ ଓ ଅଲୋଡ଼ା ହେଉଥିବା ଦେଖାଯାଉଛି । କନ୍ୟା ସନ୍ତାନ ଜନ୍ମ ହେଲେ ଆଜି ବି କିଛି ଦମ୍ପତ୍ତି ସେମାନଙ୍କର ସନ୍ତାନକୁ ଏଣେତେଣେ ଫୋପାଡ଼ି ଦେଇ ଚାଲିଯାଉଛନ୍ତି ।

ତେବେ ଏହା ମଧ୍ୟରେ ରାଜ୍ୟର ଚାନ୍ଦବାଲିରୁ ଆସିଛି ଏକ ବଡ଼ ଖବର । ଦ୍ୱିତୀୟ ଝିଅ ହେବାରୁ ଜଣେ ବାପା ତାଙ୍କର ପତ୍ନୀ ଓ ଛୁଆଙ୍କୁ ହତ୍ୟା ଧମକ ଦେଇଛନ୍ତି । କେବଳ ଏତିକି ନୁହେଁ ପତ୍ନୀ ଓ ନବଜାତକୁ ଡାକ୍ତରଖାନାରେ ଛାଡ଼ିଦେଇ ଯୁବକ ଜଣଙ୍କ ଚାଲିଯାଇଛନ୍ତି । ଗୋଟିଏ ପଟେ ଝିଅମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ସେମାନଙ୍କୁ ଶିକ୍ଷାକ୍ଷେତ୍ରରେ ଆଗକୁ ଆଣିବା ପାଇଁ ସରକାରଙ୍କ ତରଫରୁ ବହୁ ଅର୍ଥ ଖର୍ଚ୍ଚ କରାଯାଉଥିବା ବେଳେ ଅନ୍ୟପଟେ ଏପରି ଘଟଣା ଘଟିବାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ପୂର୍ବରୁ ମହିଳାଙ୍କର ଗୋଟିଏ ୧୦ ବର୍ଷର ଝିଅ ରହିଥିବା ବେଳେ ସେ ପୁଣି ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ମାତ୍ର ନିଜର ବଂଶ ରକ୍ଷା ପାଇଁ ପୁଅ ହେବ ବୋଲି ଯୁବକ ଜଣଙ୍କ ଆଶା କରିଥିଲେ । ଦୁର୍ଭାଗ୍ୟକୁ ଝିଅ ଜନ୍ମ ହୋଇଥିଲା, ଯାହାକୁ କି ସେ ସହ୍ୟ କରିପାରି ନଥିଲେ । ଝିଅ ଜନ୍ମ ହେବା ପରେ ସେ ନିଜର ହିତାହିତ ଜ୍ଞାନ ହରାଇ ବସିଥିଲେ । ଅନ୍ୟପକ୍ଷରେ ମହିଳା ଜଣଙ୍କ ନବଜାତକୁ ଧରି ଭୟଭୀତ ଅବସ୍ଥାରେ ନିଜ ବାପଘରକୁ ଚାଲିଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.