fbpx

ଶେଷରେ ହାରିଗଲେ ବ୍ରହ୍ମପୁରର ଅମ୍ରିତ ପ୍ରଧାନ, ପାଞ୍ଚ ମାସ ଧରି ଚେନ୍ନାଇରେ ଚାଲିଥିଲା ECMO ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଅମ୍ରିତ ପ୍ରଧାନ । ଅଗଣିତ ଶୁଭେଚ୍ଛୁଙ୍କ ସହଯୋଗ, କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରି ନାହିଁ । ପାଞ୍ଚ ମାସରୁ ଅଧିକ ସମୟ ଧରି ଚେନ୍ନାଇର ଆପୋଲୋ ହସ୍ପିଟାଲରେ ତାଙ୍କର ଏକମୋ ଚିକିତ୍ସା କରାଯାଉଥିଲା । ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରମାନେ କହିଛନ୍ତି । ଅମ୍ରିତଙ୍କ ଦେହାନ୍ତ ହୋଇଥିବା ନେଇ ତାଙ୍କର ଭଉଣୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଜୁନ ମାସ ୩ ତାରିଖରେ ବ୍ରହ୍ମପୁରର ଅମ୍ରିତ ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହୋଇଥିଲେ । ଗତ ଅକ୍ଟୋବର ୨୩ ତାରିଖରେ ତାଙ୍କର ଫୁସଫୁସ୍ ପ୍ରତିରୋପଣ କରାଯାଇଥିଲା । ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକଠାକ ଥିବାବେଳେ ୩ ଦିନ ତଳେ ହଠାତ୍ ବିଗିଡ଼ି ଯାଇଥିଲା । ପ୍ରତିରୋପିତ ହୋଇଥିବା ଫୁସଫୁସ୍ ଉନ୍ନତି କରୁଥିବା ବେଳେ ହଠାତ୍ ହୃତପିଣ୍ଡରେ ବ୍ଲକେଜ୍ ଦେଖାଦେଇଥିଲା । ଶେଷରେ ସମସ୍ତଙ୍କୁ ଅଲବିଦା କରି ଚାଲିଗଲେ ଅମ୍ରିତ । ଅମ୍ରିତଙ୍କ ଚିକିତ୍ସା ପାଇଁ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ଲୋକ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ବର୍ତ୍ତମାନ ସୁଦ୍ଧା ଅମ୍ରିତଙ୍କ ଚିକିତ୍ସାରେ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଛି । ପୂର୍ବରୁ କୋଲକତାରେ ଇକମୋ ଚିକିତ୍ସାଧୀନ ଅବସ୍ଥାରେ ବାଲେଶ୍ୱର ଜିଲ୍ଲାର ଅଭିଷେକ ମହାପାତ୍ରଙ୍କର ପରଲୋକ ଘଟିଥିଲା ।

Get real time updates directly on you device, subscribe now.