ନୂଆଦିଲ୍ଲୀ: ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଜଣେ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ । ଏହି ଆଇଏଏସ୍ ଅଧିକାରୀ ଜଣକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ଦାଖଲ ପାଇଁ ଥାନାରେ ପହଞ୍ଚିଥିଲେ ହେଁ ତାଙ୍କର ଅଭିଯୋଗ ଗ୍ରହଣ କରାଯାଇନଥିଲା । ଫଳରେ ଅଧିକାରୀ ଜଣଙ୍କ ଥାନାରେ ଘଣ୍ଟା ଘଣ୍ଟା ଧରି ବସି ରହିବା ପରେ ନିରାଶ ହୋଇ ଘରକୁ ଫେରିଥିଲେ । ତେବେ ଏହି ଘଟଣାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଥିବା ଜଣାପଡ଼ିଛି।
ଏହି ଘଟଣାଟି ଘଟିଛି ବିହାରରେ । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ଅଭିଯୋଗ ଦାୟର କରିବା ପାଇଁ ସୁଧୀର କୁମାର ନାମକ ଜଣେ ଆଇଏଏସ୍ ଅଧିକାରୀ ରାଜ୍ୟର ଏସସି-ଏସଟି ଥାନାରେ ପହଞ୍ଚିଥିଲେ । ମାତ୍ର ଅଧିକାରୀଙ୍କ ମାମଲା ଗ୍ରହଣ କରାନଯିବା ସହ ତାଙ୍କୁ ଦୀର୍ଘ ସମୟ ଧରି ଥାନାରେ ବସା ଯାଇଥିଲା । ଦିନ ଦ୍ୱିପ୍ରହର ସମୟରେ ସମସ୍ତ କାଗଜପତ୍ର ନେଇ ସୁଧୀର ଥାନାରେ ପହଞ୍ଚିଥିଲେ ହେଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ଦାୟର କରିବା ପାଇଁ ଥାନାଧିକାରୀ ମନା କରିଦେଇଥିଲେ । ତେବେ ସୁଧୀରଙ୍କ ଏଫଆଇଆର୍ କପି ଇଂରାଜୀରେ ଲେଖାଯାଇଥିବା ଜଣାପଡ଼ିଛି । ଜଣେ ସିନିୟର ଅଧିକାରୀଙ୍କ ମାମଲା ଥାନାରେ ଗ୍ରହଣ କରାନଯିବା ଫଳରେ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହି ମାମଲାରେ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଯେଉଁ ରାଜ୍ୟରେ ଜଣେ ସଚିବ ସ୍ତରର ଅଧିକାରୀଙ୍କ ଅଭିଯୋଗ ଗ୍ରହଣ କରାଯାଉନାହିଁ, ସେଠାରେ ସାଧାରଣ ଲୋକଙ୍କ କଥା ଶୁଣିବ କିଏ? ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ ଭୟଭୀତ ରହିଛନ୍ତି ବୋଲି ସେ କହିଛନ୍ତି । ସେହିପରି କଂଗ୍ରେସର ମୁଖପାତ୍ର ରାଜେଶ ରାଠୋର କହିଛନ୍ତି ଯେ, ସରକାର କିଛି ରାଜ୍ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଯଦି ମାମଲା ଦାୟର ହୁଏ, ଅନେକ ମୁଖ୍ୟ ସଚିବ ଶ୍ରେଣୀର ଅଧିକାରୀ ଜେଲ ଯିବା ସୁନିଶ୍ଚିତ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୭ରେ ହୋଇଥିବା ଇଣ୍ଟରସ୍ତରୀୟ ପ୍ରତିଯୋଗିତାରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ସୁଧୀରଙ୍କ ନାମ ଆସିଥିଲା । ତଦନ୍ତ ପରେ ସୁଧୀରଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାକୁ ନେଇ ସେ ସମୟରେ ବହୁତ ଚର୍ଚ୍ଚା ହୋଇଥିଲା ।