ଏବେ ରେଳରେ ଯାତ୍ରା କରିବେ ବିଦେଶ , ୨୦୨୬ ସୁଦ୍ଧା ଏହି ସବୁ ଦେଶ ସହ ସଂଯୋଗ ହେବ ରେଳଲାଇନ୍, ରୁଟ୍ କ’ଣ ରହିବ ଜାଣନ୍ତୁ

ନୂଆଦିଲ୍ଲୀ: ଟ୍ରେନରେ ବସି ଆପଣ ଦେଶ ମଧ୍ୟରେ ବିଭିନ୍ନ ସ୍ଥାନକୁ ତ ଯାତ୍ରା କରିପାରୁଥିଲେ । କିନ୍ତୁ ଏବେ ଟ୍ରେନରେ ବସି ଆପଣ ବିଧୋ ଯାତ୍ରା ବି କରିପାରିବେ । ମୋଦୀ ସରକାର ଭାରତ ଓ ଭୂଟାନ ମଧ୍ୟରେ ଅନ୍ତଃରାଷ୍ଟ୍ରୀୟ ଟ୍ରେନ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଦୁଇ ପଡୋଶୀ ଦେଶ ମଧ୍ୟରେ ଟ୍ରେନ ସେବା ଆସାମରୁ ସଞ୍ଚାଳିତ କରାଯିବ ଓ ଏହାର ଉଦ୍ଦେଶ୍ୟ ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ସୁଧାର ଆଣିବା । ଏଥିନିମନ୍ତେ ରେଳଲାଇନର କାର୍ଯ୍ୟ ୨୦୨୬ ସୁଦ୍ଧା ସଂପନ୍ନ ହେବ । ଏହି ବିଷୟରେ ସୋମବାର ବିଦେଶ ମନ୍ତ୍ରୀ ଡା. ଏସ୍ ଜୟଶଙ୍କର ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ଭୂଟାନ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ଲାଗି ବେଶ୍ ଉତ୍ସାହିତ ହୋଇ ରହିଛୁ ।
ଡା. ଏସ୍ ଜୟଶଙ୍କର କହିଛନ୍ତି ଆମେ ଆସାମ ଓ ଭୂଟାନ ମଧ୍ୟରେ ରେଳ ଯୋଗାଯୋଗ ଲାଗି କଥାବର୍ତ୍ତା ଆରମ୍ଭ କରିଛୁ । ଭୂଟାନ ପର୍ଯ୍ୟଟକଙ୍କ ଲାଗି ଆହୁରି ଅଧିକ ପଏଣ୍ଟ ଖୋଲିବା ଲାଗି ଆମେ ବହୁତ ଉତ୍ସୁକ ଓ ଏହା ଆସାମ ଲାଗି ମଧ୍ୟ ବହୁତ ଲାଭଦାୟକ । ଏହା ଭାରତ ଓ ଭୂଟାନ ମଧ୍ୟରେ ପ୍ରଥମ ରେଳ ଯୋଗାଯୋଗ ହେବ । ଭାରତ ସରକାର ଏହି ୫୭ କିଲୋମିଟର ଦୀର୍ଘ ରେଳ ଲାଇନର ଖର୍ଚ୍ଚ ନିଜେ ବହନ କରିବେ ।

ଭୂଟାନର ବିଦେଶ ମନ୍ତ୍ରୀ ଡା. ଟାଣ୍ଡିି ଦୋରଜୀ ଚଳିତ ବର୍ଷ ଏପ୍ରିଲରେ କହିଥିଲେ ଭୂଟାନ ସରକାର ପ୍ରଥମେ ଏହି ପରିଯୋଜନା ଉପରେ କାମ କରିବେ । ଭାରତ ଓ ଭୂଟାନ ମଧ୍ୟରେ ରେଳ ଯୋଗାଯୋଗ କାମ ଆରମ୍ଭ କରିବା ଲାଗି ୨୦୨୩ ଏପ୍ରିଲରେ ସର୍ବେକ୍ଷଣ ଶେଷ ହୋଇଛି । ଏହି ରେଳ ଲାଇନ୍ ଭୁଟାନର ଗେଲେଫୁ ଓ ଭାରତର ଆସାମର କୋକ୍ରାଝରକୁ ସଂଯୋଗ କରିବ । ଏହି ରୁଟ୍ରେ ଟ୍ରେନର ସଞ୍ଚାଳନ ନର୍ଥଇଷ୍ଟର୍ଣ୍ଣ ଫ୍ରଣ୍ଟିଅର ସଞ୍ଚାଳିତ କରିବ । ଡା. ଏସ୍ ଜୟଶଙ୍କର କହିଛନ୍ତି ଭାରତ, ନେପାଳ ଓ ବାଙ୍ଗଲାଦେଶ ମଧ୍ୟରେ ରେଳ ଯୋଗାଯୋଗ ବୃଦ୍ଧି କରିବା ଦିଗରେ ମଧ୍ୟ କାମ କରୁଛି ।