fbpx

ରୋଗୀଙ୍କ ପାଇଁ ଖୁସି ଖବର: SCBରେ ଆରମ୍ଭ ହେବ ପ୍ରଥମ ଯକୃତ ପ୍ରତିରୋପଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଆଗକୁ ନେବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । କଟକର ଏସସିବିରେ ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଥିବା ବେଳେ ‘ମିଲ୍କ ବ୍ୟାଙ୍କ’ ମଧ୍ୟ କାର୍ଯ୍ୟକ୍ଷମ କରାଇଥିଲେ । ତେବେ ଏହା ମଧ୍ୟରେ ରୋଗୀଙ୍କ ପାଇଁ ଆସିଛି ପୁଣି ଏକ ଖୁସି ଖବର ।

ସୂଚନା ମୁତାବକ, କଟକ ସ୍ଥିତ ଏସସିବିରେ ପ୍ରଥମ ଯକୃତ ପ୍ରତିରୋପଣ ବା ଲିଭର ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ ହେବ । ଆସନ୍ତା ଡିସେମ୍ବର ମାସ ୩୧ ତାରିଖ ସୁଦ୍ଧା ଏହା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଆଇଜିର ଏକ ଟିମ୍ ଆସି ଏସସିବିର ଡାକ୍ତର ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ । ଯକୃତ ପ୍ରତିରୋପଣକୁ ଦୃଷ୍ଟିରେ ରଖି ଲିଭର ଦାତା ଓ ଗ୍ରହୀତାଙ୍କୁ ପ୍ରସ୍ତୁତ ରଖିବାକୁ ଲିଭର ଫେଲ୍ୟୁଅର କ୍ଲିନିକର ମୁଖ୍ୟ ତଥା ଯକୃତ ପ୍ରତିରୋପଣର ନୋଡାଲ ଅଫିସରଙ୍କୁ କୁହାଯାଇଛି ।

ଏଥିସହିତ ଲିଭର ପ୍ରତିରୋପଣ ପାଇଁ ମେଡିକାଲ କଲେଜରେ ସେମିନାର ମଧ୍ୟ ଆରମ୍ଭ କରାଯାଇଛି । ଲିଭର ପ୍ରତିରୋପଣ ପାଇଁ ବିଭିନ୍ନ ବିଭାଗର ଡାକ୍ତରମାନେ ଯେଉଁସବୁ କାର୍ଯ୍ୟ କରୁଛନ୍ତି ତା’ର ତାଲିକା (ଡିଏମଇଟି)ଙ୍କ ନିକଟକୁ ପଠାଯାଇଛି । ଲିଭର ପ୍ରତିରୋପଣ ପାଇଁ ଏସସିବିରେ ଯେଉଁ ସବୁ ପରୀକ୍ଷା ଉପଲବ୍ଧ ନାହିଁ ତାହାକୁ ଯୁଦ୍ଧକାଳୀନ ଭିତ୍ତିରେ ଉପଲବ୍ଧ କରାଇବାକୁ ବ୍ୟବସ୍ଥା କରାଯାଉଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ଲିଭର ଟ୍ରାନ୍ସପ୍ଲାଣ୍ଟ ନିମନ୍ତେ ଗତମାସରେ ମଡ୍ୟୁଲାର ଓଟିରେ ଲାଇଟ୍ ଲଗାଯାଇଥିଲା । ଏହା ମଧ୍ୟରେ ୩ ଜଣ ବିଶେଷଜ୍ଞ ଏସସିବିକୁ ଆସିଥିବା ବେଳେ ଆଉ ୪ ଜଣ ଡାକ୍ତରଙ୍କୁ ଚଳିତ ମାସ ଶେଷ ସୁଦ୍ଧା ବଦଳି କରାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.