ଓଡ଼ିଶାରେ ପ୍ରଥମ ଥର ପାଇଁ ପ୍ରୟୋଗ ହେବ ବିଶ୍ୱସ୍ତରୀୟ ‘White Topping Technology’: ଭୁବନେଶ୍ୱରର ୧ କିମି ରାସ୍ତା ପାଇଁ ଖର୍ଚ୍ଚ ହେବ ୩ କୋଟି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାର ରୂପରେଖ ବଦଳିବାକୁ ଯାଉଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ‘ହ୍ୱାଇଟ୍ ଟପିଂ ଟେକ୍ନୋଲୋଜି’ ପ୍ରୟୋଗ କରିବାକୁ ପୂର୍ତ୍ତ ବିଭାଗ ନିଷ୍ପତ୍ତି ନେଇଛି । ଏହି ନୂଆ ଫର୍ମୂଲା ପ୍ରଥମେ ପରୀକ୍ଷାମୂଳକ ଭାବେ ରାଜଧାନୀର ନାଲକୋ ଛକରୁ ଆଚାର୍ଯ୍ୟବିହାର ୧ କିମି ରାସ୍ତାରେ ଲାଗୁ କରାଯିବ । ଏଥିପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହେବ । ପରବର୍ତ୍ତୀ ସମୟରେ ଏହି ବିଶ୍ୱସ୍ତରୀୟ ଟେକ୍ନୋଲୋଜିକୁ ରାଜ୍ୟର ସମସ୍ତ ସହରର ମୁଖ୍ୟ ରାସ୍ତାରେ ଲାଗୁ କରାଯିବ ।
ନୂଆ ଫର୍ମୂଲାରେ ତିଆରି ହେବାକୁ ଥିବା ରାସ୍ତା ବେଙ୍ଗାଲୁରୁ, ମହାରାଷ୍ଟ୍ର ଓ ଗୁଜରାଟ ଭଳି ହୋଇଯିବ । ପିଚୁ ରାସ୍ତା ତୁଳନାରେ ଏହି ନୂଆ ରାସ୍ତାର ଆୟୂଷ ଯଥେଷ୍ଟ ବଢ଼ିଯାଉଛି । ବେଙ୍ଗାଲୁରୁରେ ୧୫୭ କିମିର ରାସ୍ତା ପାଇଁ ୧୮୦୦ କୋଟି ଟଙ୍କା ଖଚ୍ତର୍ଚ କରାଯାଇଛି । ଏହି ରାସ୍ତା ଧମଳ ହୋଇଥିବାରୁ ଏହା ଅଧିକ ତାତି ପ୍ରତିଫଳନ କରିବ ଓ ରାସ୍ତା ଆଉ ତାତି ଶୋଷିବନି କି ବାୟୁବଣ୍ଡଳକୁ ତାତି ଛାଡ଼ିବନି । ହ୍ୱାଇଟ୍ ଟପିଂ ରାସ୍ତା ସହରର ତାତିକୁ ହ୍ରାସ କରିବ । ସହରୀ ହିଟ୍ ଆଇଲାଣ୍ଡର ପ୍ରଭାବକୁ ଏହା ହ୍ରାସ କରିବା ସହ ପରିବେଶ ଉପଯୋଗ ହେବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି ।
ବିଦେଶରେ ଏହି ନୂଆ ଟେକ୍ନୋଲୋଜିର ବହୁଳ ବ୍ୟବହାର କରାଯାଉଥିବା ବେଳେ ଅନେକ ଉନ୍ନତ ଦେଶମାନେ ସେମାନଙ୍କର ରାଜପଥ ପାଇଁ ଏହାକୁ ବ୍ୟବହାର କରୁଛନ୍ତି । ଦୀର୍ଘ ସମୟର ଗବେଷଣା ପରେ ଏହି ଟେକ୍ନୋଲୋଜିକୁ ପ୍ରୟୋଗ କରିବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଅଧିନରେ ଥିବା ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିଆରଆଇଆଇ) ଏହାକୁ ସବୁଜ ସଙ୍କେତ ଦେଇଛି । ନୂଆ ଟେକ୍ନୋଲୋଜି ଦ୍ୱାରା ରାସ୍ତାର ସ୍ଥାୟିତ୍ୱ ୧୫ ବର୍ଷ ବଢ଼ିଯିବ । ସାଧାରଣ ଭାବେ ଅଧିକ ତାପମାତ୍ରା ବଢ଼ିଲେ, ମାତ୍ରାଧିକ ଭାରିଯାନ ଚଳାଚଳ କଲେ ପିଚୁ ତରଳି ଯାଉଛି । ଏହା ସହର ପାଇଁ ମୁଖ୍ୟ ସମସ୍ୟା ସୃଷ୍ଟି କରୁଛି । ମାତ୍ର ନୂଆ ଟେକ୍ନୋଲୋଜିରେ ତିଆରି ସ୍ୱତନ୍ତ୍ର କଂକ୍ରିଟ ରାସ୍ତାରେ ଏହି ସମସ୍ୟା ଦୂରେଇ ଯିବ । ସାଧାରଣ ପିଚୁ ରାସ୍ତା ୩-୫ ବର୍ଷ ପରେ ମରାମତି ଆବଶ୍ୟକ କରୁଥିବା ବେଳେ ନୂଆ ଫର୍ମୂଲାରେ ତିଆରି ରାସ୍ତା ଅଧିକ ବର୍ଷ ପର୍ଯ୍ୟନ୍ତ ଅତୁଟ ରହିବ । ସିମେଣ୍ଟ କଂକ୍ରିଟ ସହିତ ପ୍ଲାଷ୍ଟିସାଇଜର ଓ ଅନ୍ୟ କେମିକାଲକୁ ମିଶାଇ ଉଚ୍ଚ ଶକ୍ତିସମ୍ପନ୍ନ କଂକ୍ରିଟ ପ୍ରସ୍ତୁତ କରାଯିବ । ପ୍ରଥମେ ଗୋଟିଏ ଲେନ୍ କାମ କରିବା ପରେ ଅନ୍ୟ ଲେନର କାମ ହେବ । ଏଥିପାଇଁ ୩ କୋଟି ଖର୍ଚ୍ଚ ହେବ । ପୂର୍ତ୍ତ ବିଭାଗ ପକ୍ଷରୁ ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ଏହି ପ୍ରକ୍ରିୟା ସରିବା ପରେ ଖୁବଶୀର୍ଘ କାମ ଆରମ୍ଭ ହେବ । ଏହି ପରୀକ୍ଷଣ ସଫଳ ହେଲେ ରାଜଧାନୀ ସମେତ ରାଜ୍ୟର ସମସ୍ତ ସହରର ମୁଖ୍ୟ ରାସ୍ତା ଓ ଭିତର ରାସ୍ତାକୁ ହ୍ୱାଇଟ୍ ଟେକ୍ନୋଲୋଜି ଟପିଂ ଜରିଆରେ କଂକ୍ରିଟର ରୂପ ଦିଆଯିବ ବୋଲି କୁହାଯାଇଛି ।