fbpx

(Video) ଚନ୍ଦ୍ରରୁ ଆସିଲା ‘ପ୍ରଜ୍ଞାନ’ର ପ୍ରଥମ ଭିଡିଓ: ଦେଖନ୍ତୁ କେମିତି ଲାଣ୍ଡରରୁ ଓହ୍ଲାଇଲା ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଏବେ ଲାଣ୍ଡର ବିକ୍ରମ ଏବଂ ରୋଭର ‘ପ୍ରଜ୍ଞାନ’ ଜହ୍ନ ରାଇଜର ତଥ୍ୟ ସଂଗ୍ରହ କରୁଛନ୍ତି । ବର୍ତ୍ତମାନ ଚନ୍ଦ୍ରମାରେ ପ୍ରଜ୍ଞାନର ପ୍ରତ୍ୟେକ ଗତିବିଧିର ଫଟୋ ଏବଂ ଭିଡିଓ କରି ଇସ୍ରୋକୁ ପଠାଉଛି ଲାଣ୍ଡର ବିକ୍ରମ । ଏହାପରେ ଚନ୍ଦ୍ରପୃଷ୍ଠରେ ‘ପ୍ରଜ୍ଞାନ’ର ପ୍ରତ୍ୟେକ ଅପଡେଟକୁ ଭାରତର ଅନ୍ତରୀକ୍ଷ ଗବେଷଣା ସଂସ୍ଥା ଇସ୍ରୋ ସୂଚନା ଦେଇ ଚାଲିଛି । ଏହା ମଧ୍ୟରେ ଇସ୍ରୋ ନିଜର ଏକ୍ସ(ଟ୍ୱିଟର) ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ କରିଛି । ଗତକାଲି ରୋଭର ‘ପ୍ରଜ୍ଞାନ’ ଲାଣ୍ଡର ବିକ୍ରମରୁ ବାହାରି ଚନ୍ଦ୍ରପୃଷ୍ଠକୁ ଯାଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ।

ମାଇକ୍ରୋା ବ୍ଲଗିଙ୍ଗ ସାଇଟ ଏକ୍ସ(ଟ୍ୱିଟର)ରେ ପ୍ରଜ୍ଞାନକୁ ନେଇ ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ ରୋଭର ‘ପ୍ରଜ୍ଞାନ’ ଲାଣ୍ଡର ବିକ୍ରମରୁ ବାହାରି ଚନ୍ଦ୍ରପୃଷ୍ଠରେ ଓହ୍ଲାଉଥିବାର ଦୃଶ୍ୟ ଦେଖାଯାଇଛି । ଚନ୍ଦ୍ରପୃଷ୍ଠରେ ଧିରେ ଧିରେ ଆଗେଇବା ପରେ ଜହ୍ନ ଦେହରେ ‘ପ୍ରଜ୍ଞାନ’ର ଚିହ୍ନ ମଧ୍ୟ ଦେଖାଯାଇଛି ଏହି ଭିଡିଓ ଜରିଆରେ । ତେବେ ଏହାକୁ ଏଭଳି ଭାବରେ ଗଢାଯାଇଛି, ଯେଉଁଥିରେ ‘ପ୍ରଜ୍ଞାନ’ ଯେଉଁ ରାସ୍ତା ଦେଇ ଯିବ, ସେହି ସ୍ଥାନରେ ଭାରତର ରାଷ୍ଟ୍ରୀୟ ଚିହ୍ନ ଅଶୋକ ଚକ୍ର ଏବଂ ଇସ୍ରୋର ଛାପ ଛାଡ଼ିବ । କାରଣ ରୋଭରର ଚକରେ ଇସ୍ରୋର ଲୋଗୋ ଏବଂ ଅଶୋକ ଚକ୍ରକୁ ସ୍ଥାନିତ କରାଯାଇଛି ।

ଏହାପରେ ଚନ୍ଦ୍ରଯାନ-୩ର ହେଲ୍ଥକୁ ନେଇ ଇସ୍ରୋ ଏକ ଅପଡେଟ ଦେଇଛି । ଇସ୍ରୋ କହିଛି ଯେ, ସମସ୍ତ ଗତିବିଧି ନିର୍ଦ୍ଧାରିତ ସମୟ ଅନୁସାରେ ହେଉଛି । ସମସ୍ତ ପ୍ରଣାଳୀ ମଧ୍ୟ ସ୍ୱାଭାବିକ ରହିଛି ବୋଲି ଇସ୍ରୋ ସୂଚନା ଦେଇଛି । ଲାଣ୍ଡର ମଡ୍ୟୁଲ ପେଲୋଡ ଆଜିଠାରୁ ଚାଲୁ ହୋଇଥିବା ବେଳେ ରୋଭର ମୋବିଲିଟି ଅପରେସନ ମଧ୍ୟ ଆରମ୍ଭ ହୋଇ ସାରିଛି । ତେବେ ଏହାର ପ୍ରୋପଲ୍ସନ ମଡ୍ୟୁଲରେ ସେପ୍ ପେଲୋଡ ରବିବାରଠାରୁ ଚାଲୁ ହୋଇସାରିଥିଲା ।

Get real time updates directly on you device, subscribe now.