fbpx

ଭାରତ-ପାକିସ୍ତାନ ମ୍ୟାଚ ପାଇଁ ବଢିଲା ବିମାନ ଭଡା, ଟିକେଟ୍ ମୂଲ୍ୟ ୩୫୦ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ହେବାକୁ ଥିବା ଆଇସିସି କ୍ରିକେଟ ବିଶ୍ୱକପକୁ ନେଇ କ୍ରିକେଟ ପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି । ବିଶ୍ୱକପରେ ଭାରତ-ପାକିସ୍ତାନ ଭିତରେ ହେବାକୁ ଥିବା ମ୍ୟାଚ ଉପରେ ରହିଛି ସମସ୍ତଙ୍କ ନଜର । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ଦୁଇ ଦେଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ତେବେ ଏହି ମ୍ୟାଚର ପ୍ରଭାବ ଏବେ ରାସ୍ତା ଭଡା ଠାରୁ ଆରମ୍ଭ କରି ବିମାନ ଭଡା ପର୍ଯ୍ୟନ୍ତ ସବୁଠାରେ ଦେଖିବାକୁ ମିଳୁଛି । ଭାରତ-ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ଏବେଠାରୁ ଟିକଟ୍ ବୁକିଂ ଆରମ୍ଭ ହେଲାଣି । ତେବେ ଅହମ୍ମଦାବାଦକୁ ବିମାନ ଭଡା ମୂଲ୍ୟ ଏବେ ୩୫୦ ପ୍ରତିଶତ ବୃଦ୍ଧି ପାଇଛି ।

ଭାରତ-ପାକିସ୍ତାନ ମ୍ୟାଚ ଅକ୍ଟୋବର ୧୫ରେ ଅନୁଷ୍ଠିତ ହେବ । ଏହି ରୋମାଞ୍ଚକର ମ୍ୟାଚକୁ ଦେଖିବା ପାଇଁ କେବଳ ଷ୍ଟାଡିୟମରେ ନୁହେଁ ବରଂ ଅହମ୍ମଦାବାଦରେ ଶୀଘ୍ର ପହଞ୍ଚିବା ପାଇଁ ଲୋକମାନେ ଆଗୁଆ ଟିକେଟ ବୁକିଂ କରିବା ଆରମ୍ଭ କଲେଣି ।

ଭାରତ-ପାକିସ୍ତାନ ମ୍ୟାଚକୁ ଦୃଷ୍ଟିରେ ରଖି ୩ମାସ ଆଗରୁ ଚାଲିଛି ଟିକେଟ୍ ବୁକିଂ । କ୍ରିକେଟ ପ୍ରଶଂସକମାନେ ଅହମ୍ମଦାବାଦରେ ହୋଟେଲ ଓ ଏଠାକୁ ଆସିବା ପାଇଁ ଟିକେଟ୍ ରିଜର୍ଭେସନ କରୁଛନ୍ତି । ରିପୋର୍ଟ ଅନୁଯାୟୀ ଦେଶର ପ୍ରମୁଖ ସହରରୁ ଅହମ୍ମଦାବାଦକୁ ଆସିବା ପାଇଁ ବିମାନ ଟିକେଟ ଭଡା ୩୫୦ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇଛି ।

ତେବେ ଅକ୍ଟୋବର ୧୫ରେ ଚେନ୍ନାଇରୁ ଅହମ୍ମଦାବାଦକୁ ଆସିବା ପାଇଁ ପାଖାପାଖି ୪୦ହଜାରରୁ ୪୫ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ । ସାଧାରଣ ଦିନରେ ଏହି ଯାତ୍ରାର ମୂଲ୍ୟ ୧୦ରୁ ୧୫ ହଜାର ଟଙ୍କା ରହିଥାଏ ।

ସେହିପରି କେବଳ ଚେନ୍ନାଇ ନୁହେଁ , ମୁମ୍ବାଇରୁ ଅହମ୍ମଦାବାଦକୁ ଭଡା ୬ରୁ ୭ ହଜାର ଟଙ୍କା ଥିଲା , ଯାହା ଏବେ ୨୧ହଜାରରୁ ଅଧିକ ରହିଛି । ସେହିପରି ଦିଲ୍ଲୀରୁ ଅହମ୍ମଦାବାଦ ୨୫ହଜାର ଟଙ୍କା ଓ ଚଣ୍ଡିଗଡରୁ ୨୪ ହଜାର ଟଙ୍କା ଭଡା ରହିଛି ।

କେବଳ ଏତିକି ନୁହେଁ ବରଂ ହାଇଦ୍ରାବାଦ, କୋଲକାତା ଓ ବାଙ୍ଗାଲୋରରୁ ଅହମ୍ମଦାବାଦକୁ ଆସିବା ପାଇଁ ବିମାନ ଭଡା ମଧ୍ୟ ମହଙ୍ଗା ହୋଇଛି । କୋଲକାତାରୁ ଅହମ୍ମଦାବାଦକୁ ଭଡା ୪୫ ହଜାର ଟଙ୍କା ରହିଛି ।

ଟ୍ରାଭେଲ ଏଜେଣ୍ଟ ଅଫ୍ ଇଣ୍ଡିଆର ଚେୟାରମ୍ୟାନ ବୀରେନ୍ଦ୍ର ଶାହଙ୍କ କହିବା ଅନୁଯାୟୀ, ଭାରତ-ପାକିସ୍ତାନ ମ୍ୟାଚ୍ ଦିନ ବିମାନ ଟିକେଟ ପାଇଁ ବହୁତ ଚାହିଦା ରହିଛି । ଏହି କାରଣରୁ ଅହମ୍ମଦାବାଦକୁ ଘରୋଇ ବିମାନର ମୂଲ୍ୟ ଆକାଶ ଛୁଆଁ ହୋଇଛି ।

ଭାରତ ପାକିସ୍ତାନ ମ୍ୟାଚ ବ୍ୟତୀତ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱକପର ଉଦଘାଟନୀ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଚଳିତ ବର୍ଷ ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଆଇସିସି କ୍ରିକେଟ ବିଶ୍ୱକପ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.