fbpx

ରାଜ୍ୟରେ ଉତ୍କଟ ହେଉଛି ବନ୍ୟାସ୍ଥିତି: ବିପଦ ସଂକେତ ଉପରେ ମହାନଦୀର ଜଳସ୍ତର, ୧୦ ଜିଲ୍ଲାକୁ ସଜାଗ ରହିବାକୁ ନିର୍ଦ୍ଦେଶ

ଆହୁରି ୨-୩ ଦିନ ଚିନ୍ତାଜନକ : ଏସଆରସି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀ ସମେତ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଆସିଛି । ଛତିଶଗଡ଼ରେ ପ୍ରବଳବର୍ଷା ହେଉଥିବା ଯୋଗୁଁ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ଅଧିକ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଥିବାରୁ ମହାନଦୀ ଓ ଏହାର ଶାଖାନଦୀ ଗୁଡ଼ିକରେ ବଡ଼ ଧରଣର ବନ୍ୟା ଆସିଛି । କଟକ ଜିଲ୍ଲା ମୁଣ୍ଡଳୀ ଠାରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୯୭.୨୫ ଫୁଟ୍‌ ରହିଥିବା ବେଳେ ଜଳସ୍ତର ଏବେ ୯୭.୩୦ ଫୁଟ୍‌ ରହିଛି ।

ସେହିପରି ନରାଜ ଠାରେ ମଧ୍ୟ ବିଦ ସଙ୍କେତ ୨୬.୪୧ ମିଟର ରହିଥିବା ବେଳେ ଜଳସ୍ତର ୨୬.୬୮ ମିଟର ରହିଛି । ମଙ୍ଗଳବାର ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୬.୫୮ ଫୁଟ୍‌ ରହିଥିଲା । ପୂର୍ବରୁ ୩୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ୮ଟି ଗେଟ୍‌କୁ ବନ୍ଦ କରାଯାଇଥିଲା । ପରର୍ବତ୍ତୀ ସମୟରେ ଜଳସ୍ତର ବୃଦ୍ଧି ଘଟୁଥିବାରୁ ହୀରାକୁଦର ମୋଟ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି ।

ମହାନଦୀରେ ଆସୁଥିବା ବନ୍ୟା ପାଇଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ ଦେଇଛନ୍ତି । ଏହି କ୍ଷେତ୍ରରେ ସେ ନିର୍ବାଚିତ ପ୍ରତିନିଧିଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି । ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନକୁ ଓଡ୍ରାଫ୍‌ ଟିମ୍‌ ପଠାଯାଇଛି ବୋଲି ସେ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଓ ଆଠଗଡ଼ରେ ମହାନଦୀ ବନ୍ୟା ପ୍ରଳୟ ସୃଷ୍ଟି କରିଛି । କେନ୍ଦ୍ରାପଡ଼ାର ଲୁଣା, କରାଣ୍ଡିଆ,ଚିତ୍ରୋତ୍ପଳା ଓ ପାଇକା ନଦୀରେ ଜଳସ୍ତର ବଢ଼ିବାରୁ ୨ଟି ବ୍ଲକ୍‌ରେ ଘାରଇ ହୋଇଛି । ମାର୍ଶାଘାଇ ବ୍ଲକ୍‌ ବଳରାମପୁର ଘେରିବନ୍ଧ ଭାଙ୍ଗି ଯିବାରୁ ଗାଁ ଭିତରେ ପାଣି ଲହଡ଼ି ମାରୁଛି । ଫଳରେ ଢିଅ ବଳରାମପୁର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ସେହିରପି ଡେରାବିଶ, ଗରଦପୁର, ମାର୍ଶାଘାଇ ଓମହାକାଳପଡ଼ାର ତଳିଆ ଅଞ୍ଚଳରେ ବନ୍ୟାଜଳ ପଶିଯାଇଛି । ଆଠଗଡ଼ରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଆଠଗଡ଼ ବ୍ଲକ୍‌ର ୧୫ଟି ପଞ୍ଚାୟତରେ ସ୍ଥିତି ସଂଗୀନ ହୋଇପଡ଼ିଛି । ତିଗିରିଆ, ବଉଳାଙ୍ଗ ନିକଟରେ ମହାନଦୀରେ ଘଳିଆ ସୃଷ୍ଟି ହୋଇଛି । ବାଲିବସ୍ତା ପକାଇ ଲୋକେ ଘଳିଆ ବନ୍ଦ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ବାଙ୍କି ବ୍ଲକ୍‌ର ସୁବର୍ଣ୍ଣୁର ଗାଁରେ ୪ ଫୁଟ୍‌ର ବନ୍ୟାଜଳ ରାସ୍ତା ଉପରେ ଚାଲୁଛି । ସେହିରି ବହୁ ଘରଦ୍ୱାର ପାଣିରେ ବୁଡ଼ିଯାଇଛି । ଲୋକେ ହୁଲି ଡଙ୍ଗାରେ ଆସବାବପତ୍ର ଅନ୍ୟତ୍ର ନେଉଥିବା ଦେଖିବାକୁ ମିଳୁଛି ।

ସେହିପରି ଜଗତସିଂହପୁର ଜିଲ୍ଲାର ଦେବୀ ନଦୀ ଦଳେଇଘାଇ ଠାରେ ବିଦସଙ୍କେତ ଟପିଛି । ଏଠାରେ ଜଳସ୍ତର ୫୭ ଫୁଟ୍‌ ରହିଥିବାବେଳେ ୫୮.୬୦ ଫୁଟ୍‌ ଉଚ୍ଚରେ ଜଳ ପ୍ରବାହିତ ହେଉଛି । ସେହିରି କାକଟପୁର ବାଉରିଆଣ ଠାରେ ଦେବୀ ନଦୀ ବିଦସଙ୍କେତ ଟପିଛି । ବାଲେଶ୍ୱର ଜିଲ୍ଳା ବସ୍ତା ଠାରେ ବସ୍ତାରେ ଥିବା ଜଳକା ନଦୀ ମଥାନି ଠାରେ ବିଦ ସଙ୍କେତ ପାର୍‌ କରିଥିବାବେଳେ ଆଖୁଆପଦା ଠାରେ ବୈତରଣୀ ନଦୀ ବିଦ ସଙ୍କେତ ଉପରେ ରହିଛି । ସେହିଭଳି ରାଜୁଆ ଓ ଦୟା ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ୧୦ଟି ଗାଁ ପାଣିଘେରରେ ରହିଛି ।

ପୁରୀ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି । କଣାସ ବ୍ଲକ୍‌ର ୩ଟି ପଞ୍ଚାୟତର ବିଭିନ୍ନ ଗାଁରେ ପାଣି ପଶିଯାଇଛି । ନୟାଗଡ଼ର ବିଭିନ୍ନ ଗାଁରେ ପାଣି ପଶିବା ଯୋଗୁଁ ୩ଟି ବ୍ଲକ୍‌ର ୩୨ଟି ସ୍କୁଲ୍‌କୁ ୨ ଦିନ ପାଇଁ ବନ୍ଦ ରଖିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗଣିଆଁ ବ୍ଲକ୍‌ର ୧୧, ଖଣ୍ଡପଡ଼ା ବ୍ଲକ୍‌ର ୨ ଓ ଭାପୁର ବ୍ଲକ୍‌ର ୧୨ଟି ସ୍କୁଲ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ର ବିଜୟ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ମୁଣ୍ଡଳୀରେ ବର୍ତ୍ତମାନ ୧୨ ଲକ୍ଷ କ୍ୟୁସେକ୍‌ରୁ ଅଧିକ ଜଳ ପ୍ରବାହିତ ହେଉଛି । ଜଳସ୍ତର ଆଉ କିଛି ବଢ଼ିବା ପରେ ଜଳପ୍ରବାହ ପରିମାଣ କମିବ । ତେବେ ଅସୁବିଧା କିଛି ନାହିଁ ବୋଲି ସେ କହିବା ସହ ବନ୍ୟା ସ୍ଥିତି ଉପରେ ଜଳସମ୍ପଦ ବିଭାଗ କର୍ମଚାରୀ ନଜର ରଖିଥିବା ସୂଚନା ଦେଇଥିଲେ ।

Get real time updates directly on you device, subscribe now.