fbpx
BJD SKY
BJD SKY

(Video) ଘାଇ ସାଜିଲା କାଳ: ରାତିର ଅନ୍ଧାରରେ ଗାଁ ଭିତରକୁ ମାଡ଼ି ଆସିଲା ବନ୍ୟାପାଣି, ଆଉ ତା’ପରେ ଧୋଇନେଲା …

BJD

ପୁରୀ : ରାଜ୍ୟରେ ବନ୍ୟା ସ୍ଥିତି ଯୋଗୁଁ ଘରଦ୍ୱାର ସମେତ ଫସଲ ଧୋଇ ନେଇଛି ପାଣି । ଆଖିରେ ଜକେଇ ଆସୁଛି ଲୁହ । ମନରେ ଅସମ୍ଭାଳ କୋହ । କାରଣ ସର୍ବଗିଳା ବନ୍ୟା ପାଣି ଧସେଇ ପଶିଛି ଏମାନଙ୍କ ଘର ଭିତରେ । ଉଜାଡ଼ି ଦେଇଛି ସବୁକିଛି । ନଦୀ ବନ୍ଧରେ ଦୁର୍ଦଶାରେ ରାତି କଟୁଛି, ଦିନ ବିତୁଛି । ପୁରୀ ଜିଲ୍ଲା ଷୋଳପୁର ଗାଁ ବାସିନ୍ଦା ଜୀବନ ବିକଳେ ଗାଈ ଗୋରୁ, ପିଲା ଛୁଆଙ୍କୁ ଧରି ଏକପ୍ରକାର ଅଖିଆ ଅପିଆ ଅବସ୍ଥାରେ ପଡ଼ିରହିଛନ୍ତି । ବୋଧହୁଏ ଏମାନଙ୍କ ଏଭଳି ଦୁର୍ଦ୍ଦଶା ହୋଇନଥାନ୍ତା, ଯଦି ଗୋପ ବେଦପୁର ପଞ୍ଚାୟତର ଖଣ୍ଡିଆକୁଦ କୁଶଭଦ୍ରା ନଦୀରେ ଘାଇ ହୋଇନଥାନ୍ତା । କିନ୍ତୁ ବନ୍ୟାର ପ୍ରଖର ସ୍ରୋତ ଭାଙ୍ଗିଦେଲା ସବୁକିଛି ।

ପୁରୀ ଜିଲ୍ଲାର ପିପିଲି ଏବଂ କୋଣାର୍କ ଇଲାକା ବି ଉବୁଟୁବୁ । ଜଳବନ୍ଦୀ ପିପିଲି, ଡେଲାଙ୍ଗ ଓ କଣାସ ଅଞ୍ଚଳର ବହୁ ଗାଁ । କଣାସର ମକରା ଓ ରାଜୁଆ ନଦୀରେ ୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଫଳରେ ୭ରୁ ଅଧିକ ଗାଁରେ ବନ୍ୟା ପାଣି ମାଡ଼ିଯାଇଛି ।

ସେହିପରି ଜଗତସିଂହପୁର ଜିଲ୍ଲାରେ ମହାନଦୀ ଓ ପାଇକାରେ ଚାରି ଚାରିଟିି ଘାଇ ଯୋଗୁଁ ସଂଗୀନ ହେବାରେ ଲାଗିଛି କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକର ୨୦ରୁ ଅଧିକ ପଞ୍ଚାୟତ । ଗତକାଲି ମହାନଦୀର ଜୟଶଙ୍ଖପୁର ଓ ପାଇକାର ବଡ଼ ବାଲିକଣିରେ ଦୁଇଟି ଘାଇ ହୋଇଥିଲା ବେଳେ ଆଜି ମହାନଦୀର ତେରମାଣପୁର ଓ ପାଇକାର କାଠକୋଟରେ ଆଉ ଦୁଇଟି ଘାଇ ହେବାରୁ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି ।

ଅଧାବୁଡ଼ା ଘର ଉପରେ ଗଲା ତିନି ଦିନ ଧରି ତମ୍ବୁରେ ବିତୁଛି ଜୀବନ । ମହାନଦୀ ବନ୍ୟାରେ ବାଙ୍କି ଓ ଡମପଡ଼ା ବ୍ଲକର ପାଖାପାଖି ୭୦ଟି ଗାଁ ପ୍ରଭାବିତ ହୋଇଥିଲା ବେଳେ ପାଖାପାଖି ୫୦ଟି ଗାଁ ଦିନି ଦିନ ଧରି ଏମିତି ବୁଡ଼ିଛି । କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ବି ସମାନ ସ୍ଥିତି । ବ୍ଲକର ୧୭ ପଞ୍ଚାୟତ ବନ୍ୟାଦ୍ୱାରା ପ୍ରଭାବିତ ହୋଇଥିଲା ବେଳେ ୧୬ଟି ଗାଁ ମହନଦୀ ବଢ଼ିରେ ପୁରା ବୁଡ଼ିଛି । ବିପନ୍ନ ହୋଇପଡ଼ିଛନ୍ତି ୮ଟି ପଞ୍ଚାୟତର ୨୮ଟି ଗାଁ । ମୁଣ୍ଡୁଳିରେ ମହାନଦୀର ପିକ୍ ଫ୍ଲଡ୍ ଯେତେ ଯେତେ ତଳି ଅଞ୍ଚଳକୁ ବହୁଛି, ସେତେ ସେତେ ବଢୁଛି ବିପନ୍ନଙ୍କ ଦୁର୍ଦ୍ଦଶା, ବଢୁଛି ଅଧିକରୁ ଅଧିକ ବନ୍ଧବାଡ଼ ଭାଙ୍ଗିଯିବାର ଭୟ ।

Get real time updates directly on you device, subscribe now.