fbpx
BSKY SKY
BSKY SKY

କେନ୍ଦ୍ର ବଜେଟ୍ ୨୦୨୨: ଦେଶରେ ଚାକିରୀ ଓ ରୋଜଗାରକୁ ନେଇ ଦେଖାଦେଇଥିବା ସମସ୍ୟା ଉପରେ ଫୋକସ୍ କରିପାରନ୍ତି ଅର୍ଥମନ୍ତ୍ରୀ

BSKY

ନୂଆଦିଲ୍ଲୀ: ଆଜି କେନ୍ଦ୍ର ବଜେଟ୍ ୨୦୨୨-୨୩ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଉପସ୍ଥାପନ ହେବ ବଜେଟ୍ । ଏଥିରେ ବିଭିନ୍ନ କ୍ଷେତ୍ରର ଭିତ୍ତିଭୂମି ଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇପାରେ । କରୋନା କାରଣରୁ ଦେଖାଦେଇଥିବା ଦୁର୍ବଳ ଅର୍ଥନୀତିକୁ ଦୃଷ୍ଟିରେ ରଖି ବଜେଟ୍ ଘୋଷଣା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦୀ ସରକାରଙ୍କ ଏହା ଦଶମ ବଜେଟ ହୋଇଥିବା ବେଳେ ନିର୍ମଳାଙ୍କ ଚତୁର୍ଥ ବଜେଟ । ମହାମାରୀ ଅନେକ ଯୁବପିଢ଼ିଙ୍କୁ ବେକାର କରିଦେଇଛି । ଅନେକ ଲୋକ ଚାକିରୀ ହରାଇ ବେକାର୍ ହୋଇଛନ୍ତି । ମହାମାରୀ କାରଣରୁ ଲୋକଙ୍କ ଆୟ ବୃହତ୍‌ ମାତ୍ରାରେ ହ୍ରାସ ପାଇଛି । ଏଭଳି କ୍ଷେତ୍ରରେ ଏ ବଜେଟ୍‌ ଅନେକ ମାତ୍ରାରେ ଗୁରୁତ୍ୱ ବହନ କରୁଛି ।

ବୃହତ୍‌ ମାତ୍ରାରେ ନିଯୁକ୍ତି ତିଆରି କରୁଥିବା କ୍ଷେତ୍ର ଯେପରି ହସ୍‌ପିଟାଲିଟି ଏବଂ ପର୍ୟ୍ୟଟନ, ଏମ୍‌ଏସ୍‌ଏମ୍‌ଇ, ଗୃହନିର୍ମାଣ, ଅଟୋମୋବାଇଲ ଏବଂ ଲଜିଷ୍ଟିକ୍ସ ଉପରେ ସ୍ୱତନ୍ତ୍ର ନଜର ରହିପାରେ । ପୁଞ୍ଜି ବ୍ୟୟବରାଦ ବଢ଼ାଇପାରନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍‌ଆଇ) ବ୍ୟୟବରାଦ ଉପରେ ବଜାରର ନଜର ରହିଛି । ଜାତୀୟ ଆସେଟ୍‌ ମୁଦ୍ରୀକରଣ ଯୋଜନା ପାଇଁ ନୂତନ ଲକ୍ଷ୍ୟ ଧାର୍ୟ୍ୟ କରାଯାଇପାରେ ।

ବିଶେଷଜ୍ଞଙ୍କ ଅନୁଯାୟୀ ଦେଶର ଯୁବ ପିଢ଼ିମାନଙ୍କ ପାଇଁ ପର୍ୟ୍ୟାପ୍ତ ନିଯୁକ୍ତି ସୃଷ୍ଟି ହେଉଛି ଅନ୍ୟ ଏକ କ୍ଷେତ୍ର ଯାହାକୁ ସରକାର ବଜେଟରେ ଧ୍ୟାନ ଦେବା ଉଚିତ୍। ନିକଟରେ ବ୍ଲୁମବର୍ଗର ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଅର୍ଥନୀତି ବ୍ୟବସ୍ଥାରୁ ୨୦ କୋଟି ଚାକିରୀ ଗାୟବ୍ ହୋଇଯାଇଛି ଏବଂ ସରକାରଙ୍କ ପର୍ୟ୍ୟାପ୍ତ ଆର୍ଥିକ ସହାୟତା ବିନା ସନ୍ତୁଳନ ଫେରାଇ ଆଣିବା କଷ୍ଟକର ହୋଇପଡ଼ିବ ।

ରୋଜଗାର କ୍ଷେତ୍ରରେ ମନରେଗା ଯୋଜନା ପରି ସହରାଞ୍ଚଳରେ ଚାକିରୀ ଗ୍ୟାରେଣ୍ଟି ଯୋଜନା ଆସିବା ଜରୁରୀ ବୋଲି ଅର୍ଥନୀତି ବିଶେଷଜ୍ଞଙ୍କ ଏକ ଲୋକପ୍ରିୟ ସୁପାରିଶ ରହିଆସିଛି । ତେଣୁ ବଜେଟ୍ ରେ ଏ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଉଛି । ରଘୁରାମ ରାଜନ ଓ ଜ୍ୟୋ ଦ୍ରେଜ୍ ଙ୍କ ଭଳି ପ୍ରଖ୍ୟାତ ଅର୍ଥଶାସ୍ତ୍ରୀ ଏହିଭଳି ଯୋଜନାକୁ ସମର୍ଥକ କରନ୍ତି । ଯେବେ ଠାରୁ ମହାମାରୀ ବ୍ୟାପିବା ଆରମ୍ଭ ହୋଇଛି ସେବେଠାରୁ ଭାରତର ବିଶାଳ ଔପଚାରିକ କ୍ଷେତ୍ର ପଙ୍ଗୁ ହୋଇଯାଇଛି ।

 

 

 

Get real time updates directly on you device, subscribe now.