fbpx

ଗୋଆ ନିର୍ଵାଚନ: ବିଜେପି ପ୍ରାର୍ଥୀଙ୍କଠୁ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପାରିକରଙ୍କ ପୁଅ ଉତ୍ପଳ

ପାଣାଜି: ଦେଶର ସବୁଠୁ ଛୋଟ ରାଜ୍ୟ ଗୋଆରେ ବିଧାନସଭା ନିର୍ବାଚନର ଗଣତି ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗରେ ରହିଥିବା ବେଳେ ମୁଖ୍ୟ ପ୍ରତିଦ୍ଵନ୍ଦ୍ଵୀ କଂଗ୍ରେସ ପଛରେ ରହିଛି। ତେବେ ସବୁଠୁ ବଡ ଖବର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ତଥା ନିର୍ଦ୍ଦଳୀୟ ପ୍ରାର୍ଥୀ ଉତ୍ପଳ ନିର୍ବାଚନ ହାରିଛନ୍ତି। ତାଙ୍କୁ ବିଜେପି ପ୍ରାର୍ଥୀ ଅତାନାସିଓ ମୋନସେରାଟୋ ୭୧୦ ଖଣ୍ଡ ଭୋଟରେ ହରାଇଛନ୍ତି। ବିଜେପିରେ ଟିକେଟ୍ ନମିଳିବା କାରଣରୁ ଉତ୍ପଳ ନିର୍ବାଚନ ପୂର୍ବରୁ ଦଳ ଛାଡି ଦେଇଥିଲେ। ସେ ଦଳ ପ୍ରତି ବହୁତ ବିଷୋଦଗାର ମଧ୍ୟ କରିଥିଲେ।

ଚାଲିଥିବା ଭୋଟ୍ ଗଣତି ଅନୁଯାୟୀ, ବିଜେପି ୧୯ ସିଟରେ ଆଗୁଆ ଥିବା ବେଳେ କଂଗ୍ରେସ ୧୨ଟି ସିଟରେ ଆଗୁଆ ରହିଛି। ଟିଏମସି ଓ ଏମଜିପି ମେଣ୍ଟ ୩, ଆପ୍ ୨ ଏବଂ ଅନ୍ୟ ୪ ସିଟରେ ଅଗ୍ରଣୀ ହାସଲ କରିଛନ୍ତି। ଟ୍ରେଣ୍ଡ ଯଦି ଏମିତି ଜାରି ରହେ ତେବେ ଗୋଆରେ ଝୁଲା ସରକାର ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ। ୪୦ ବିଧାନସଭା ବିଶିଷ୍ଟ ଗୋଆରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଦରକାର ୨୧ ସିଟ୍। ବିଜେପି ଯଦିଓ ୧୯ ସିଟରେ ଆଗୁଆ ରହିଛି, ଦଳ ବହୁମତ ପାଇବ କି ନାହିଁ ତାହା ଗଣତି ସରିବା ପରେ ଜଣା ପଡିବ। କିନ୍ତୁ ଆଞ୍ଚଳିକ ଦଳଗୁଡିକର ସରକାର ଗଠନରେ ପ୍ରମୁଖ ଭୂମିକା ରହିବ। ସେପଟେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ ଆଗରେ ରହିଛନ୍ତି।

 

Get real time updates directly on you device, subscribe now.