fbpx

ବାଲେଶ୍ୱରର ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ

ବାଲେଶ୍ୱର: ବାଲେଶ୍ୱରର ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ। ୭୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଗୋପନାରାୟଣ ଦାସଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଅଣାଯାଉଥିବା ବେଳେ ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ସ୍ବର୍ଗତ ଦାସ ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସଂପାଦକ ଥିଲେ। ସେ ବାଲେଶ୍ୱର ପୌରପାଳିକାର କାଉନସିଲର ବି ଥିଲେ। ଏହାଛଡ଼ା ସଦର ବ୍ଲକ୍ ଅଧ୍ୟକ୍ଷ ଭାବେ ବି ଦାୟିତ୍ବ ତୁଲାଇଥିଲେ। ୧୯୮୫ ମସିହାରେ ଗୋପନାରାୟଣ ଦାସ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ। ତାଙ୍କର ବିୟୋଗରେ ବାଲେଶ୍ୱରରେ ଶୋକର ଛାୟା ଖେଳିଯାଇଛି। ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଜଣେ କାଉନସିଲରରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଗୋପ ନାରାୟଣ ଦାସ । ୧୯୭୩ ମସିହାରେ ପ୍ରଥମେ ଗୋପାଳ ଗାଁର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ୧୯୮୦ରୁ ୧୯୮୫ ସଦର ବ୍ଲକ ଚେୟାର ମ୍ୟାନ ଭାବେ ଦାୟିତ୍ଵ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସରୁ ପ୍ରତିଦ୍ବନ୍ଦିତା କରି ୧୯୮୫ ରୁ ୧୯୯୦ ପର୍ଯ୍ୟନ୍ତ କଂଗ୍ରେସର ବିଧାୟକ ଭାବେ ଦାୟିତ୍ଵ ତୁଲାଇଥିଲେ । ସେହିଭଳି ବାଲେଶ୍ଵର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବେ ଦାୟିତ୍ବ ତୁଲାଇବା ସହ କଂଗ୍ରେସ ସରକାର ସମୟରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ମଧ୍ୟ ଚେୟାର ମ୍ୟାନ ଭାବେ ୧୯୯୬ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିଲେ ।

Get real time updates directly on you device, subscribe now.