fbpx

ଦେଶର ବୈଦେଶିକ ନୀତି ଭୁଶୁଡ଼ି ଗଲାଣି: ପ୍ରଧାନମନ୍ତ୍ରୀ ଶତ୍ରୁ ରାଷ୍ଟ୍ରର ମୁଖ୍ୟଙ୍କ ସହ ଦୋଳିରେ ଝୁଲୁଛନ୍ତି, ବିରିୟାନୀ ଖାଉଛନ୍ତି: ମନମୋହନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କେନ୍ଦ୍ରରେ ଶାସନାଧୀନ ଏନଡିଏ ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଦେଶର ବୈଦେଶିକ ନୀତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଚୀନ ସେନା ଭାରତର ଭୂମିକୁ ଗତ ଏକ ବର୍ଷ ଧରି କବଜା କରି ରଖିଛି । ଆମର ପୁରୁଣ ବନ୍ଧୁ ରାଷ୍ଟ୍ରମାନେ ଆମଠାରୁ କ୍ରମଶଃ ଦୂରେଇ ଯାଉଛନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ଓ ପାକିସ୍ତାନ ପରି ଶତ୍ରୁ ରାଷ୍ଟ୍ରର ମୁଖ୍ୟଙ୍କ ସହ ଆଲିଙ୍ଗନ କରିବା, ଦୋଳିରେ ଝୁଲିବା, ବିନା ନିମନ୍ତ୍ରଣରେ ବିରିୟାନୀ ଖାଇବାରେ ବ୍ୟସ୍ତ ରହୁଛନ୍ତି । ଏପରି ଆଚରଣରେ ଦେଶର ବୈଦେଶିକ ନୀତି କେବେ ବି ସୁଧୁରିବ ନାହିଁ ।

ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମନମୋହନ କଂଗ୍ରେସକୁ ଭୋଟ ଦେବାକୁ ମତଦାତାଙ୍କୁ ନିବେଦନ କରିଛନ୍ତି । ଏକ ଭିଡିଓ ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀଙ୍କ ନାମ ସିଧାସଳଖ ନନେଇ କହିଛନ୍ତି ଯେ, ବିଜେପି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନାମରେ ବିଜେପି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂହ ଚନ୍ନୀଙ୍କୁ ବଦନାମ କରୁଛି । ନିଜର ବୀରତା ପାଇଁ ସମଗ୍ର ବିଶ୍ୱରେ ପରିଚିତ ଲାଭ କରିଥିବା ପଞ୍ଜାବ ଓ ପଞ୍ଜାବୀଙ୍କୁ ଟାର୍ଗେଟ୍ କରାଯାଉଛି । ଜଣେ ଭାରତୀୟ ଭାବେ ପଞ୍ଜାବରେ ଜନ୍ମଲାଭ କରିଥିବାରୁ ମୋତେ ଏହା ଭୀଷଣ ବାଧୁଛି ।

ବର୍ତ୍ତମାନର ଶାସକ ଦଳ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଟାର୍ଗେଟ୍ କରୁଛି । ନିଜର ଦୋଷ ପାଇଁ କୌଣସି ଦଳ ଦେଶର ଇତିହାସକୁ ନିନ୍ଦା କରିବା କେତେଦୂର ଗ୍ରହଣୀୟ । ମୁଁ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ସମୟରେ ନିଜକୁ ନୁହେଁ ବରଂ ନିଜ କାର୍ଯ୍ୟକୁ ଗୁରୁତ୍ୱ ଦେଇଥିଲି । ୨୦୦୪ରୁ ୨୦୧୪ ମଧ୍ୟରେ କଂଗ୍ରେସ ଶାସନ ସମୟରେ ଦେଶରେ ସୁଶାସନ ପ୍ରତିଷ୍ଠା ହୋଇପାରିଥିଲା । ମାତ୍ର ବର୍ତ୍ତମାନ ବିଜେପି ନିଜର ରାଜନୈତିକ ସୁବିଧା ପାଇଁ ଦେଶକୁ ଭାଗ ଭାଗ କରିବାକୁ ପଛାଉନାହିଁ ।

Get real time updates directly on you device, subscribe now.