fbpx

ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର; ବଡ଼ପୁଅ ଦେଲେ ମୁଖାଗ୍ନି

ଓଡିଶା ଭାସ୍କର: ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର ପରେ ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର । ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂତ୍କାର କରାଯାଇଥିବା ବେଳେ ମରଶରୀରରେ ବଡ଼ପୁଅ ସୁନୀଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି। ବନ୍ଧୁ, ପରିଜନ, ପ୍ରଶାସନିକ ଅଧିକାରୀ, ରାଜନେତା ଓ ଶୁଭେଛୁଙ୍କ ଉପସ୍ଥିତିରେ ଏହି ଶେଷକୃତ୍ୟ ସମ୍ପନ ହୋଇଛି । ସ୍ୱର୍ଗତ ମହେଶ୍ଵର ମହାନ୍ତିଙ୍କ ଶେଷ ଦର୍ଶନ କରି ସମସ୍ତେ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

ସୂଚନା ଥାଉକି, ସ୍ୱାସ୍ଥ୍ୟବସ୍ଥା ଖରାପ କାରଣରୁ ଗତ କିଛିଦିନ ଧରି ସ୍ୱର୍ଗତ ମହେଶ୍ୱର ମହାନ୍ତି ମେଡିକାଲରେ ଚିକିତ୍ସିତ ହେଉଥିଲେ । ମାତ୍ର ଶେଷରେ ଡାକ୍ତରଙ୍କର ସବୁ ପ୍ରୟାସ ବିଫଳ ହୋଇଥିଲା । ଆଜି ୬୭ ବର୍ଷ ବୟସରେ ମହେଶ୍ୱରଙ୍କ ଦେହାନ୍ତ ଘଟିଥିଲା । ତେବେ ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ରାଜନୀତି ମହଲରେ ଏକ ଶୋକର ଛାୟା ଖେଳିଯାଇଥିଲା । ବିଭିନ୍ନ ରାଜନୈତିକ ଦଳ ସମେତ ପ୍ରଶାସନିକ ଅଧିକାରୀ ଏବଂ ରାଜ୍ୟର ସମସ୍ତ କୋଣ ଅନୁକୋଣରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଅନ୍ୟପଟେ ଆଜି ପୂର୍ବାହ୍ନରେ ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀରକୁ ଘରୋଇ ହସ୍ପିଟାଲରୁ ଅଣାଯାଇ ବିଜେଡି ରାଜ୍ୟ କାର୍ୟ୍ୟାଳୟ ‘ଶଙ୍ଖଭବନ’କୁ ନିଆଯାଇଥିଲା। ଦଳୀୟ ନେତା ଓ କର୍ମୀ ସେଠାରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ସେଠାରେ ପହଞ୍ଚି ଦିବଙ୍ଗତ ନେତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସୂଚନା ଯୋଗ୍ୟ, ମହେଶ୍ୱର ରାଜ୍ୟ ରାଜନୀତିର ଜଣେ ଆଗଧାଡ଼ିର ରାଜନେତା ଥିଲେ । ସେ ଜଣେ କାଉନସିଲରୁ ରାଜନୈତିକ ଜୀବନ ଆରମ୍ଭ କରି ବାଚସ୍ପତି ହୋଇପାରିଥିଲେ । ସେ ୧୯୯୫ ମସିହାରୁ ୨୦୧୯ ପର୍ୟ୍ୟନ୍ତ ପୁରୀରୁ ପ୍ରତିନିଧିତ୍ୱ କରୁଥିଲେ । ଉକ୍ତ ବିଧାନସଭା ଆସନରୁ ସେ କ୍ରମାଗତ ଭାବେ ୫ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସେ ଜଣେ ମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ । ୨୦୦୪ରୁ ୨୦୦୮ ପର୍ୟ୍ୟନ୍ତ ସେ ରାଜ୍ୟ ବିଧାନସଭାର ବାଚସ୍ପତି ରହିଥିଲେ । ସେ ୧୯୯୫ରେ ଜନତା ଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୦୦ରୁ ୨୦୦୯ ପର୍ୟ୍ୟନ୍ତ ବିଜେଡିର ବିଧାୟକ ରହିଥିଲେ । ଏଥିସହିତ ସେ ପୁରୀ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱରେ ମଧ୍ୟ ରହିଥିଲେ ।

Get real time updates directly on you device, subscribe now.