fbpx

କ୍ରୀଡ଼ା ଜଗତରେ ହଇଚଇ: ମ୍ୟାଚ ଫିକ୍ସିଂ କରିବା ପାଇଁ କ୍ରିକେଟରଙ୍କୁ ୪୦ ଲକ୍ଷ ଟଙ୍କାର ଅଫର

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ମ୍ୟାଚ ଫିକ୍ସିଂକୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇଛି । ତେବେ ମ୍ୟାଚ ଫିକ୍ସିଂ କ୍ରିକେଟ ପରି ଏକ ସମ୍ମାନଜନକ କ୍ରୀଡ଼ାକୁ ବହୁ ତଳକୁ ନେଇଯାଇଥାଏ । ଅତୀତରେ ଭାରତ ସହ ବିଭିନ୍ନ କ୍ରିକେଟ ପ୍ରିୟ ଦେଶମାନଙ୍କରେ ଏହି ଘଟଣାକୁ ନେଇ ଅନେକ ଖେଳାଳିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆଜୀବନ ବାସନ୍ଦାଦେଶ ମଧ୍ୟ କରାଯାଇଛି । ତେବେ ନିକଟରେ ଜଣେ ପୂର୍ବତନ ଇଣ୍ଡିଆଲ ପ୍ରିମିୟର ଲିଗ୍ (ଆଇପିଏଲ) ଓ ରଣଜୀ ଟ୍ରଫି ଖେଳାଳିଙ୍କୁ ଲାଞ୍ଚ ଦିଆଯିବା ଖବରକୁ ନେଇ ହଇଚଇ ସୃଷ୍ଟି ହୋଇଛି ।

ଜଣାପଡ଼ିଛି ଯେ, ଏହି ଖେଳାଳି ଜଣଙ୍କ ହେଉଛନ୍ତି ତାମିଲନାଡ଼ୁର ୪୧ ବର୍ଷୀୟ ଖେଲାଳି ରାଜଗୋପାଳ ସତୀଶ । ମ୍ୟାଚ ଫିକ୍ସିଂ ପାଇଁ ଇନଷ୍ଟାଗ୍ରାମରେ ତାଙ୍କୁ ୪୦ ଲକ୍ଷ ଟଙ୍କାର ଅଫର ଦିଆଯାଇଥିବା ସତୀଶ ଅଭିଯୋଗ କରିଛନ୍ତି । ଏନେଇ ବେଙ୍ଗାଲୁରୁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ସତୀଶ ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଅବଗତ କରାଇଛନ୍ତି । ଗତ ୩ ତାରିଖରେ ଆନନ୍ଦ ନାମକ ଜଣେ ଯୁବକ ସତୀଶଙ୍କୁ ଇନଷ୍ଟା ଆକାଉଣ୍ଟ ମାଧ୍ୟମରେ ଏହି ଅର୍ଥର ଲାଳସା ଦେଖାଇଥିଲା । ଦୁଇ ଜଣ ଖେଳାଳି ଏହି ଅଫରକୁ ଗ୍ରହଣ କରିସାରିଥିବା ମଧ୍ୟ ଉକ୍ତ ଯୁବକ ସତୀଶଙ୍କୁ କହିଥିଲା । ତେବେ ଉକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଏକ ଟିମ୍ ଗଠନ କରିଛି ।

ସତୀଶ ତାମିଲନାଡ଼ୁ ସହ ଆସାମ ପକ୍ଷରୁ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟରେ ଖେଳି ସାରିଛନ୍ତି । ଆଇପିଏଲରେ ସେ କେକେଆର, ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ ତରଫରୁ ମଧ୍ୟ ଖେଳିଥିଲେ । ବର୍ତ୍ତମାନ ସେ ତାମିଲନାଡ଼ୁ ପ୍ରିମିୟର ଲିଗରେ ଖେଳ ଜାରି ରଖିଛନ୍ତି ।

Get real time updates directly on you device, subscribe now.