ଆଜି ଶ୍ରୀଜିଉଙ୍କ ପଇତା ଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ମାର୍ଗଶୀର କୃଷ୍ଣପକ୍ଷ ଦଶମୀ ତିଥିରେ ଗୁପ୍ତନୀତି ଦ୍ୱାରା ଶ୍ରୀ ବିଗ୍ରହଙ୍କ ଶ୍ରୀଅଙ୍ଗର ସୁରକ୍ଷା ଦିଆଯାଏ । ଶ୍ରୀ ବିଗ୍ରହଙ୍କ ଠାରେ ଦୈନନ୍ଦିନ ଲାଗି ହେଉଥିବା ଚନ୍ଦନରୁ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଏହି ଏହି ନୀତି ଅନୁଷ୍ଠିତ ହୋଇଥାଏ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସୋମବାର ଚାରି ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପଇତା ଲାଗି ନୀତି ଆରମ୍ଭ ହେବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତି ଏହି ନୀତି ସମ୍ପାଦନ କରିବେ । ଆଜି ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ନାରାୟଣ ମହାନ୍ତି ସୂଚନା ଦେଇଛନ୍ତି ।