fbpx

ରାଜ୍ୟ ସରକାରଙ୍କ ଘୋଷଣା: ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ପାଇବେ ମାଗଣା ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ରାଜ୍ୟରେ ଏବେ ପ୍ରବଳ ଖରା ଅନୁଭୂତ ହେଉଥିବାରୁ ଅଂଶୁଘାତକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ସାଧାରଣ ନିର୍ବାଚନ ବେଳେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ମିଳିବ ବୋଲି କୁହାଯାଇଛି ।

ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଅଧିକାରୀଙ୍କୁ କ୍ୟାସଲେସ ଚିକିତ୍ସା ସୁବିଧା ମିଳିବ । ଏଥିସହିତ ନିର୍ବାଚନ ଦାୟିତ୍ୱ ସମ୍ପାଦନ କରୁଥିବା ସମୟରେ ଯଦି କୌଣସି କର୍ମଚାରୀ ଅଂଶୁଘାତର ଶିକାର ହୁଅନ୍ତି ତେବେ ତାଙ୍କୁ ସଙ୍ଗେସଙ୍ଗେ ଏହି ଚିକିତ୍ସା ସୁବିଧା ମିଳିବ । ଏନେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଯୋଜନାରେ ଅନୁବନ୍ଧିତ ଥିବା ରାଜ୍ୟର ସମସ୍ତ ଘରୋଇ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏଥିପାଇଁ ଉକ୍ତ ପୋଲିଂ କର୍ମଚାରୀଙ୍କୁ ନିର୍ବାଚନ କାଳୀନ ଡ୍ୟୁଟି ସଂକ୍ରାନ୍ତୀୟ ନିଯୁକ୍ତି ପତ୍ରକୁ ସମ୍ପୃକ୍ତ ହସ୍ପିଟାଲରେ ଦାଖଲ କରିବାକୁ ପଡ଼ିବ ।

ମତଦାନ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେବାର ଆଶଙ୍କା ରହିଛି । ତେଣୁ ମତଦାନ ପ୍ରକ୍ରିୟା ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ନିର୍ବାଚନରେ ନିୟୋଜିତ ଥିବା କର୍ମଚାରୀଙ୍କ ମାଗଣା ସୁବିଧା ପ୍ରଦାନ ନେଇ ଗତ ଫେବୃଆରୀ ମାସରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା । ନିର୍ବାଚନ ଡ୍ୟୁଟିରେ ଥିବା ପର୍ଯ୍ୟବେକ୍ଷକ, ପୋଳିସ କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ଏହି ସୁବିଧା ପାଇବେ ।

Get real time updates directly on you device, subscribe now.