fbpx

ରୂପେଲି ପରଦାରୁ ରାଜନୀତିର ରେସ୍, ମଇଦାନରେ ବିରୋଧୀଙ୍କୁ ପ୍ରଥମ ଥର ପାଇଁ ଦେବେ ଟକ୍କର, ରେସରେ ସାମିଲ ଅଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ଓଡ଼ିଶା ଭାସ୍କର: ରୂପେଲି ପରଦାରୁ ରାଜନୀତିର ରେସ୍ । ମଇଦାନରେ ପୁରୁଖା ନେତାଙ୍କ ସହ ଟକ୍କର । ରାଜନୀତିର ଗଭୀର ସମୁଦ୍ରକୁ ମାପିବା ପାଇଁ ରାଜନୀତିରେ ପୁଖତା ହେବାକୁ ପଡ଼ିଥାଏ । ଆଉ ଏସବୁ ଏତେ ସହଜ ନଥାଏ । ରାଜନୀତିରେ ଆଜି ଯିଏ ଶତ୍ରୁ କାଲି ସିଏ ମିତ୍ର ଏବଂ ଆଜି ଯିଏ ମିତ୍ର କାଲି ସିଏ ଶତ୍ରୁ । ରାଜନୀତିରେ କିଛି ବି ପୂର୍ବାନୁମାନ କରିହେବ ନାହିଁ । ଭାରତରେ ଦଶନ୍ଧୀରୁ ରାଜନୀତିରେ ସିନେ ତାରକା ଏବଂ ଅନ୍ୟ ସେଲିବ୍ରିଟିଙ୍କ ପ୍ରବେଶର ଧାରା ବଜାୟ ରହିଛି । ଅଭିନୟରୁ ରାଜନୀତି ଦୁନିଆରେ ପାଦ ଥାପିବା ଏତେ ସହଜ ନଥାଏ । ତଥାପି ରାଜନୀତିରେ ଭାଗ୍ୟ ପରୀକ୍ଷା କରିବା ପାଇଁ ପ୍ରଥମ ଥର ମଇଦାନକୁ ଓହ୍ଲାଇଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀମାନେ ।

୧. ବର୍ଷା ପ୍ରିିୟଦର୍ଶିନୀ: ଓଲିଉଡ଼ର କୁଇନ୍ ଭାବେ ଜଣାଶୁଣା ବର୍ଷା ପ୍ରିୟଦର୍ଶିନୀ । ତାଙ୍କ ନିକ୍ଷୁଣ ଅଭିନୟର ଜାଦୁରେ ଦର୍ଶକ ମନ ଜିଣି ପାରିଛନ୍ତି । ବର୍ତ୍ତମାନ ଅଭିନୟ ଜଗତରୁ ରାଜନୀତିରେ ଭାଗ୍ୟ ପରୀକ୍ଷା କରିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ଚଣାରୁ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା କରି ସମସ୍ତଙ୍କୁ ସରପ୍ରାଇଜ୍ ଦେଇଛନ୍ତି । ବଡ଼ଚଣାରେ ବର୍ତ୍ତମାନ ବର୍ଷାଙ୍କ କ୍ରେଜ୍ । ଅଭିନୟ ସହ ସମାଜ ସେବା ପ୍ରତି ଦୁର୍ବଳତା ଥିବା ବର୍ଷା ବର୍ତ୍ତମାନ ଗାଁ ଗାଁ ବୁଲି ପ୍ରଚାରରେ ବ୍ୟସ୍ତ । ବଡ଼ଚଣାରୁ ବର୍ଷାଙ୍କୁ ଜିତାଇବା ପାଇଁ ବିଜେଡ଼ି ସବୁ କସରତ କରିବ ବୋଲି ଜଣାପଡ଼ିଛି । ତେବେ ଦେଖିବାକୁ ବାକି ରହିଲା ରାଜନୀତି ମଇଦାନରେ ପ୍ରଥମ ଥର ପାଇଁ ଓହ୍ଲାଇଥିବା ବର୍ଷାଙ୍କୁ ଦର୍ଶକ କିପରି ଆପଣାଉଛନ୍ତି ।

୨. ରଚନା ବାନାର୍ଜୀ: ରୂପେଲି ପରଦାରେ ଲମ୍ବା ଇନିଂସ ଖେଳି ବର୍ତ୍ତମାନ ରାଜନୀତି ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି ଭେଟେରାନ ଅଭିନେତ୍ରୀ ରଚନା ବାନାର୍ଜୀ । ପ୍ରଥମେ ବଙ୍ଗଳା ପରେ ଓଡ଼ିଆ ଏବଂ ବଲିଉଡ଼ରେ ନିଜ ଦମଦାର ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ବର୍ତ୍ତମାନ ନିର୍ବାଚନୀ ମଇଦାନରେ ଡେବୁ୍ୟ କରିବାକୁ ଯାଉଛନ୍ତି ରଚନା । ସେ ନିଜ ଗୃହରାଜ୍ୟ ପଶ୍ଚିମବଙ୍ଗରୁ ଲୋକସଭା ନିର୍ବାଚନ ଲଢ଼ିବେ । ଶାସକ ତୃଣମୂଳ କଂଗ୍ରେସ ଟିଏମସି ତାଙ୍କୁ ହୁଗୁଳି ଲୋକସଭା ଆସନରୁ ଟିକେଟ ଦେଇଛି । ପ୍ରଥମେ ମଡେଲିଂରୁ ଅଭିନୟ ଜଗତକୁ ପ୍ରବେଶ କରିଥିବା ରଚନା ୧୯୯୪ ମସିହାରେ ‘ମିସ୍ କୋଲକାତା’ ହୋଇଥିଲେ । ଗତ କିଛି ବର୍ଷ ହେବ ସେ ଅଭିନୟ ଜଗତରେ ସକ୍ରିୟ ନଥିଲେ କିନ୍ତୁ ତାଙ୍କ ଲୋକପ୍ରିୟତାକୁ ଦେଖି ରଚନାଙ୍କୁ ମିଳିଥିବା ଆସନରୁ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶାୟୀ ଅଛି ଟିଏମସି ।

୩. କଙ୍ଗନା ରାନାୱତ: ଅନୁରାଗ ବାସୁଙ୍କ ବଲିଉଡ ଫିଲ୍ମ ଗ୍ୟାଙ୍ଗଷ୍ଟର ମାଧ୍ୟମରେ ବଲିଉଡ଼ରେ ଏଣ୍ଟ୍ରି କରିଥିଲେ ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାନାୱତ । ସେ ତାଙ୍କ ପ୍ରଫେସନାଲ ଏବଂ ପର୍ସନାଲ ଲାଇଫକୁ ନେଇ ସବୁବେଳେ ଲାଇମ୍ ଲାଇଟରେ ରହିଆସିଛନ୍ତି । ବଲିଉଡ଼ରେ ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କଙ୍ଗନା ବର୍ତ୍ତମାନ ରାଜନୀତିରେ ପାଦ ଥାପିଛନ୍ତି । ହିମାଚଳ ପ୍ରଦେଶର ମଣ୍ଡିରୁ ତାଙ୍କୁ ବିଜେପି ଟିକେଟ ଦେଇଛି । ତେବେ କଙ୍ଗନାଙ୍କ ଫ୍ୟାନ୍ସମାନେ ତାଙ୍କୁ ରାଜନୀତିରେ ଦେଖି ବେଶ ଉତ୍ସାହିତ ଅଛନ୍ତି । ଅପରପକ୍ଷରେ ଶୁଣିବାକୁ ମିଳୁଛି ଯେ କଙ୍ଗନାଙ୍କ ସିନେମା କ୍ରମାଗତ ଭାବେ ଫ୍ଲପ୍ ହେବା ପରେ ଶେଷରେ ସେ ରାଜନୀତି ଆଡ଼କୁ ମୁହାଁଇଛନ୍ତି । ଫ୍ୟାଶନ୍, କୁଇନ୍, ତନୁ ୱେଡ୍ସ ମନୁ, ମଣିକର୍ଣ୍ଣିକା ଭଳି ହିଟ୍ ଚଳଚ୍ଚିତ୍ରରେ ନିଜ ଅଭିନୟର ଜାଦୁରେ ଦର୍ଶକଙ୍କ ମନ ମୋହିଥିବା କଙ୍ଗନା ରାଜନୀତିରେ କେତେ ଦୂର ସଫଳ ହେଉଛନ୍ତି ଦେଖିବାକୁ ବାକି ରହିଲା ।

ରାଜନୀତିରେ ସବୁବେଳେ ପରିବର୍ତ୍ତନର ଧାରା ପ୍ରବାହିତ କରିଥାଏ । ନୂଆ ଚେହେରାଙ୍କୁ ସୁଯୋଗ ମିଳିଥାଏ ସତ କିନ୍ତୁ ଲୋକମାନେ ସେମାନଙ୍କୁ କେତେ ଦୂର ଆପଣାଇବେ ତାହା ସମୟ ହିଁ କହିବ ।

 

 

Get real time updates directly on you device, subscribe now.