fbpx

(Video) ପ୍ରଣବଙ୍କୁ ଚକମା ଦେବାକୁ Ready ଧର୍ମେନ୍ଦ୍ର… ଛକାପଞ୍ଝାରେ ବାଜି ଜିତିବାକୁ ଚକ୍ରବ୍ୟୁହ ରଚୁଛନ୍ତି କେନ୍ଦ୍ରମନ୍ତ୍ରୀ!

ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତି ଏଥର ଦେଖିବ ମହାଲଢେଇ । ଯେଉଁ ମହାଲଢେଇରେ ମୁହାଁମୁହିଁ ହେବେ ବିଜେଡି ଏବଂ ବିଜେପିର ଦୁଇ ଶକ୍ତିଶାଳୀ ଯୋଦ୍ଧା । ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିରୁ ମଇଦାନରେ ହୁଙ୍କାର ଦେଉଛନ୍ତି, ଅନ୍ୟ ପଟେ ବିଜେଡର ଶଙ୍ଖନାଦ କରିବା ପାଇଁ ଯୁଦ୍ଧକ୍ଷେତ୍ରରେ ଦଣ୍ଡାୟମାନ ରହିଛନ୍ତି ସାଂଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ରାଜ୍ୟ ରାଜନୀତିରେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଆସିଥିବା ସମ୍ବଲପୁର ଲୋକସଭା ଆସନ ଏଥର ରହିଛି ସବୁଠାରୁ ଅଧିକ ଚର୍ଚ୍ଚାରେ । ଧର୍ମେନ୍ଦ୍ର ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢୁଥିବା ବେଳେ ଏହା ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇପଡିଛି । ସେହିପରି ପ୍ରଣବ ପ୍ରକାଶ ମଧ୍ୟ ବିଜେଡିର ଛାମୁଆ ନେତା ତଥା ନିଜେ ବିଜେଡିର ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବାରୁ ତାଙ୍କ ପାଇଁ ମଧ୍ୟ ଏହା ଏକ ବଡ ଚ୍ୟାଲେଞ୍ଜ । ତେବେ ବିଜୟ ପାଇଁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଛି ଗୋଟି ଚାଳନା ।

ଗତ ନିର୍ବାଚନ ଉପରେ ନଜର ପକାଇଲେ, ୨୦୧୯ରେ ଏହି ଆସନ ପାଇଁ ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କୁ ୯ ହଜାର ୧୬୨ ଭୋଟ୍ ବ୍ୟବଧାନରେ ହରାଇ ସମ୍ବଲପୁରର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ଏଥର ପରିସ୍ଥିତି ବଦଳି ଯାଇଛି । କାରଣ କିଛିଦିନ ତଳେ ସମ୍ବଲପୁରର ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ରାଣୀ ଅରୁନ୍ଧତୀ ଦେବୀ ଏବଂ ପୁଅ ନମନ୍ ଗଙ୍ଗଦେବ ବିଜେଡିରେ ସାମିଲ ହୋଇଛନ୍ତି । ଏବଂ ଦଳ ଅରୁନ୍ଧତୀଙ୍କୁ ଦେବଗଡ ବିଧାନସଭା ଆସନରୁ ପ୍ରାର୍ଥୀ ମଧ୍ୟ କରିଛି । ସାଂସଦ ନିତେଶ ଗଙ୍ଗଦେବ ଯଦିଓ ବିଜେପି ଛାଡିନାହାଁନ୍ତି, ତଥାପି ତାଙ୍କର ନିରବ ସମର୍ଥନ ବିଜେଡି ପ୍ରତି ରହିବା ସ୍ୱାଭାବିକ । ଖାଲି ସେତିକି ନୁହେଁ, ସମ୍ବଲପୁର ବିଧାନସଭା ଆସନରୁ ବିଜେଡି ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ପରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରେଢାଖୋଲ ଏବଂ ରୋହିତ ପୂଜାରୀଙ୍କୁ ସମ୍ବଲପୁର ବିଧାନସଭା ଆସନରୁ ପ୍ରାର୍ଥୀ କରାଗଲା । ରୋହିତ ପ୍ରାର୍ଥୀ ହେବା ପରେ ଦଳ ଉପରେ ଖପ୍ପା ହୋଇ ସେ ବିଜେଡି ଛାଡିବା ସହ ରାଜନୀତି ଠାରୁ ଦୂରେଇ ରହି ଲୋକସେବା ଜାରି ରଖିବେ ବୋଲି କହିଥିଲେ ରାସେଶ୍ୱରୀ ପାଣିଗ୍ରାହୀ ।

ତେଣୁ ବର୍ତ୍ତମାନ ସମ୍ବଲପୁର ବିଧାନସଭା ଆସନର ରାଜନୈତିକ ସମୀକରଣ ବଦଳିଥିବା ବେଳେ ଏହା ଲୋକସଭା ଆସନର ଲଢେଇକୁ ମଧ୍ୟ ପ୍ରଭାବିତ କରିବା ସ୍ୱାଭାବିକ । ତେବେ ଏସବୁ ଭିତରେ ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଖେଳିଛନ୍ତି ଏକ ବଡ ଚାଲ୍ । ବିଜେଡି ଛାଡିଥିବା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ସାକ୍ଷାତ କରିଛନ୍ତି ଧର୍ମେନ୍ଦ୍ର । ଏହି ସମୟର ଫଟୋକୁ ସେ ନିଜେ ସୋସିଆଲ ମିଡିଆରେ ଶେୟାର କରିବା ସହ ସୌଜନ୍ୟମୂଳକ ସାକ୍ଷାତ କରି ଆଶୀର୍ବାଦ କାମନା କରିଛନ୍ତି ବୋଲି ଲେଖିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଧର୍ମେନ୍ଦ୍ର ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଥିବା ବେଳେ ଏହାକୁ ନେଇ କିନ୍ତୁ ରାଜନୈତିକ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । ରାଶେଶ୍ୱରୀ ବିଜେପିରେ ନ ମିଶିଲେ ବି ଧର୍ମେନ୍ଦ୍ରଙ୍କୁ ଅର୍ଥାତ୍ ବିଜେପିକୁ ପରୋକ୍ଷ ସମର୍ଥନ କରିବେ ବୋଲି ମଧ୍ୟ କୁହାଗଲାଣି । କାରଣ ରାସେଶ୍ୱରୀ ବିଜେଡିରୁ ଇସ୍ତଫା ଦେବା ପରେ ତାଙ୍କର ପ୍ରାୟ ୪୦ ଜଣ ସମର୍ଥକ ମଧ୍ୟ ବିଜେଡିର ବିଭିନ୍ନ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି । ତେଣୁ ରାସେଶ୍ୱରୀଙ୍କ ସମର୍ଥକମାନେ ଯଦି ବିଜେଡିକୁ ବିରୋଧ କରି ବିଜେପିକୁ ସମର୍ଥନ ଦିଅନ୍ତି ତାହା ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କ କ୍ଷତି କରିବା ସହିତ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ । କାରଣ ରାସେଶ୍ୱରୀଙ୍କ ନିରବ ସମର୍ଥନ ସିଧା ସଳଖ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଫାଇଦା ଦେବ ବୋଲି ରାଜନୀତି ସମୀକ୍ଷକ ଆଲୋଚନା କରୁଛନ୍ତି ।

ତେବେ ରାସେଶ୍ୱରୀ ବିଜେପିକୁ ସମର୍ଥନ କରୁଛନ୍ତି କି ନାହିଁ ତାହା ଭିନ୍ନ କଥା, ହେଲେ ସେ ବିଜେଡିକୁ ବିରୋଧ କରିବା ଏକପ୍ରକାର ନିଶ୍ଚିତ । ତେଣୁ ରାସେଶ୍ୱରୀ ପାଣିଗ୍ରାହୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଭେଟ୍ ଘାଟ୍ ଏବେ ସମ୍ବଲପୁର ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ମୋଟାମୋଟି ଭାବେ କହିବାକୁ ଗଲେ ସମ୍ବଲପୁର ବାସୀ ଏଥର ଏକ ବଡ ଲଢେଇ ଦେଖିବାକୁ ଯାଉଛନ୍ତି । ଆଉ ନିର୍ବାଚନ ପାଖେଇ ଆସୁଥିବା ବେଳେ ସମ୍ବଲପୁର ଲୋକସଭା ଆସନରେ ଧର୍ମେନ୍ଦ୍ର ଓ ବବିଙ୍କ ମଧ୍ୟରୁ କାହାର ଜିତାପଟ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି ।

Get real time updates directly on you device, subscribe now.