fbpx

ପୁଣି ଚର୍ଚ୍ଚାରେ ପଳାତକ ବାବା ନିତ୍ୟାନନ୍ଦ; ଜାଣନ୍ତୁ ଦାବି କରୁଛନ୍ତି କଣ…..

ନୂଆଦିଲ୍ଲୀ: ଭାରତ ଏବେ ମହାମାରୀ କରୋନାର ଦ୍ୱିତୀୟ ଲହର ସହ ଲଢୁଛି । ଏହି ସମୟରେ ଡାକ୍ତର ଓ ବୈଜ୍ଞାନିକ ମାନେ ଏହାର ପ୍ରତିକାର ପାଇଁ ଦିନ ରାତି ଏକ କରି ଦେଇଛନ୍ତି । ମହାମାରୀରୁ କିଭଳି ମୁକ୍ତି ମିଳିବ ସେନେଇ ଅନେକ ପ୍ରକାରର ଭ୍ୟାକ୍ସିନ ସହ ଔଷଧ ମଧ୍ୟ ବାହାର କରାଯାଉଛି । ତେବେ ଏଭଳି ସ୍ଥିତିରେ କେତେକ ଆତ୍ମଘୋଷିତ ବାବା ଲୋକଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି । ସେହିଭଳି ଜଣେ ବିବାଦୀୟ ବାବା ହେଉଛନ୍ତି ନିତ୍ୟାନନ୍ଦ । ସେ ଦେଶ ଛାଡି ପଳାଇଛନ୍ତି କିନ୍ତୁ ସେ ଫେରିଲେ କରୋନା ପଳାଇବ ବୋଲି ମତ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଏପରିକି ଭାରତ ଫେରିବା ପାଇଁ ଏହା ତାଙ୍କର ଏକ ଚକ୍ରାନ୍ତ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

ଭଣ୍ଡ ବାବାମାନଙ୍କ କାରନାମା ଦେଶରେ ନୂଆ ନୁହେଁ । ମଝିରେ ମଝିରେ ଏଭଳି ଘଟଣା ଆମେ ଦେଖିବାକୁ ପାଉ । ସେହିପରି ଅଜବ ଯୁକ୍ତି ବାଢିଛନ୍ତି ଫେରାର୍ ବାବା ନିତ୍ୟାନନ୍ଦ । ତାଙ୍କ କହିବା ଅନୁଯାୟୀ କରୋନାକୁ ସେ ଦେଶରୁ ତଡ଼ି ଦେଇପାରିବେ । ଏହି ମର୍ମରେ ନିତ୍ୟାନନ୍ଦ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ତାଙ୍କର ଜଣେ ଶିଷ୍ୟ ତାଙ୍କୁ ପଚାରୁଛନ୍ତି ଯେ କରୋନା ଭାରତରୁ କେବେ ଶେଷ ହେବ । ସେ ଏହି ପ୍ରଶ୍ନର ଉତ୍ତର ଦେଉଛନ୍ତି କି ଦେବୀ “ଅମ୍ମାନ’ ତାଙ୍କ ଆଧ୍ୟାତ୍ମିକ ଶରୀରରେ ପ୍ରବେଶ କରି ସାରିଛନ୍ତି । କରୋନା ଭାରତରୁ ସେତେବେଳେ ଯିବ ଯେତେବେଳେ ସେ ଭାରତ ମାଟିରେ ପାଦ ରଖିବେ । ନିତ୍ୟାନ୍ଦଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାକୁ ଲାଗିଛି ।

ସୂଚନାଯୋଗ୍ୟ ନିତ୍ୟାନନ୍ଦଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ରହିଛି । ଏହାପରେ ୨୦୧୯ରେ ସେ ଭାରତ ଛାଡି ଫେରାର ହୋଇଯାଇଛନ୍ତି । ତାପରେ ନିତ୍ୟାନନ୍ଦ ଦାବି କରିଛନ୍ତି ଯେ ସେ ଏକ ଭର୍ଚୁଆଲ ଦ୍ୱୀପ ପ୍ରତିଷ୍ଠା କରିଛନ୍ତି । ଯାହାର ନାଁ ଦେଇଛନ୍ତି କୈଳାସ । ନିତ୍ୟାନନ୍ଦଙ୍କ ଏହି ଦ୍ୱୀପଟି ଇକ୍ୟୁଏଡର ଉପକୂଳରେ ରହିଥିବା କୁହାଯାଇଛି ।

Get real time updates directly on you device, subscribe now.